ଦଶଭୂଜା ମାତେ
ଦଶଭୂଜା ମାତେ
ହସ୍ତପାଦ
ସର୍ବାଙ୍ଗ ସଜ୍ଜିତ
ପୁଷ୍ପମୟ ତା'ର ସୁବାସ
ପୁଷ୍ପମୟ ବେଶ।
ପୁଷ୍ପମନା ସେ
କେଵେ ପୁଣି ଆନମନା
କେବେ ସଂହାର ବଦନା
ତେଜସ୍ଵିନୀ ଔଜସ୍ବିନୀ
ଶୁଭେ ଦିବ୍ୟ ଆବାହନୀ
ମେଢର ଅନ୍ତରୁ
ଭକ୍ତ ଗହଳରୁ
ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣରୁ।
ସବୁ ଭେଦ
ଭିତରେ ସେ ଅଭେଦ୍ୟ
ଶଙ୍କିର୍ଣ୍ଣମନା ନୁହେଁ
ସର୍ବତ୍ର ପରିବ୍ୟାପ୍ତ ତା'ର
ତେଜ ଭରା ଚକ୍ଷୁ
ଆକାଶୁ ବସୁଧା ସଦା ଅଭିନ୍ନତା।
ସୃଷ୍ଟି କାରିଣୀ
ମମତା ମାଧୁରୀରେ
ସଜାଇଛି ସଭିଙ୍କର ଗଭା
ସସାଗରା ଧରା ସବୁ ତା'ର
ହାତଗଢା ପରା।
ବିଚ୍ଛୁରିତ
ଆଲୋକର ରେଖା
ଯାହା ସୃଷ୍ଟିରେ ଦେଖା
କରୁଣାର ବୃଷ୍ଟି ତା'ର
ସତ୍ୟର ଆଲୋକ
ଅସତ୍ୟର ବିନାଶ
ସଂହାରିଣୀ ପୁଣି ବିଶ୍ଵ କଲ୍ୟାଣୀ।
ବରଷର ବାରମାସ
ଘରେ ଘରେ ତା'ର ବାସ
ଦୁଇ ବାର ଦେଖାଦିଏ
ମୃଣ୍ମୟୀ ବେଶରେ
ଭିନ୍ନ ଭିନ୍ନ ବେଶରେ
ବାଜା ରୋଷଣୀରେ
ଭିନ୍ନ ବସନରେ
ଶବ୍ଦ ସହରରେ।
ମରତରେ
ଦିଏ ପାଦ
ମମତାର ନୂଆ ଛନ୍ଦ
ଚେତନାର ନୂତନ ଆବେଶ
ଶସ୍ୟ ଶ୍ୟାମଳା ଧରଣୀର ବକ୍ଷ।
ଇଚ୍ଛାର
ଇଚ୍ଛାଶକ୍ତିକୁ କରଇ ଜାଗ୍ରତ
ଧର୍ମ ଅର୍ଥ କାମ ମୋକ୍ଷ
ଭାବନାର ଗୀତ
ସ୍ଵପ୍ନର ରଙ୍ଗକୁ ଦିଏ
ବାସ୍ତବ ରୂପ।
ହଜିଯିବା ଭିଜି ଯିବା
ଭାବର ତରଙ୍ଗେ
ନାଚିବା ଗାଇବା ଉପଯୁକ୍ତ ଛନ୍ଦେ
ବନ୍ଦିବା ଦେବୀଙ୍କୁ ବିଜୟାର ବାସେ
ଆବିର୍ଭୂତା ଜଗତ ମାତା
ପୂଜିବା ଏ ମେଢରୁ ସେ ମେଢ
ମାଗିବା କରୁଣାର ବାରି।
ପ୍ରତିଶ୍ରୃତି
ଦେଇଦେବା
ସୁସ୍ଥ କାମ କରିଯିବା
ଦୟା ସବୁ ମାଗିନେବା
ଦିବ୍ୟ ଚେତନାକୁ କରିବା ଜାଗ୍ରତ।
ପ୍ରଣାମ
ମାତେ ଶକ୍ତିମୟୀ
ଭକ୍ତି ମୟୀ ସ୍ନେହମୟୀ
ଦୟାମୟୀ କର୍ମମୟୀ
ଜନନୀ ଭଗିନୀ ଜାୟା
ଦଶହରାର ପୂଣ୍ୟ ପ୍ରଣାମ।
ପଙ୍କଜିନୀ ଉପାଧ୍ୟାୟ
ଅରଙ୍ଗାବାଦ