ବନ୍ୟା
ବନ୍ୟା
ନିଦାଘର ପ୍ରକୋପରେ ତପ୍ତ ବସୁନ୍ଧରା
ସହି ନ ପାରି ଯେ ଜନେ ହେଲେ ଦିଗହରା ।
ସୁମରିଲେ ଇନ୍ଦ୍ରଙ୍କୁ ହେ ବାରେ ଦୟାକର,
ପରାଣ ହେ ଚାଲିଯିବ ବରଷାଅ ନୀର ।
ବରଷାର ଦେବୀ ତୁମେ ଏତେ କଲ ଦୟା
ମୌସୁମୀର ରୂପ ନେଇ ଦେଖାଅ ଗୋ ମାୟା ।
କେବେ ସାଜ ମଉସୁମୀ କେବେ ଗୋ ଶ୍ରାବଣୀ
ମୋ ରାଇଜେ କୃପା କରି ଏତେ ଦେଲ ପାଣି ।
ବନ୍ୟର ପ୍ରଳୟ ଦେଖି ଲୋକ ହେଲେ ଭୀତ
ନଈ ପାଣି ଟପିଲାଣି ବିପଦ ସଂକେତ ।
କେଣେ ଭାସେ ସହର ଯେ, ଜନଙ୍କ ସମ୍ପତ୍ତି,
ମାଗିଥିଲି ନୀର ତୁମେ ଆଣିଛ ବିପତ୍ତି ।
ଗ୍ରୀଷ୍ମର ତପକୁ ପ୍ରଭୁ ସହୁଥିଲା ଦେହ,
ଏଣେ ଉଠିଲାଣି ନାଥ ବେଦନାର କୋହ ।
ତେଜି ରାଗ, ରୋଷ ପ୍ରଭୁ ବାରେ ଦୟାକର
କୃଷି କ୍ଷେତେ କୃଷକ ହେ ଚାହେଁ ସ୍ଵଳ୍ପ ନୀର ।
ବାପା-ଜେଜେ ମୋର ଗଢିଛନ୍ତି ଏ ରାଇଜ,
କେତେ ଯେ କଠିନ କର୍ମ ମନେ ବାରେ ହେଜ ।
ତେଜି କୋପ, ଗୁମାନ ହେ ବାରେ କୃପାକର,
ତ୍ରାହି ତ୍ରାହି ବୋଲେ ଜନ, ଆମ୍ଭଙ୍କୁ ଉଦ୍ଧର ।
ମୁନ୍ନା ମହାପାତ୍ର, ଗୁଣପୁର