ଉଡାଣ
ଉଡାଣ
ଖୋଲିଦିଅ ପଂଜୁରୀର ଦ୍ବାର
ଖୋଲିଦିଅ ରୁଦ୍ଧ କାରାଗର
ଉଡିଯାଉ ପକ୍ଷୀ
ଡେଣା ମେଲି ଫର ଫର
ଆକାଶର ମୁକ୍ତ ଅଗଣାକୁ ,
ଭାଙ୍ଗିଯାଉ ପ୍ରଭେଦ ପ୍ରାଚୀର
ସମ୍ପର୍କର ନଟେଇରୁ
ଲମ୍ବି ଯାଉ ବିଶ୍ବାସର ସୂତା
ଭୂମିରୁ ଭୂମାକୁ
ଇନ୍ଦ୍ରଧନୁର ସାତରଂଗ ନେଇ
ଫଗୁଣର ସହରରେ
ଫୁଲଙ୍କ ମେଳରେ
ପାଦଶବ୍ଦ ଶୁଭୁଥାଉ ଜୀବନର ,
ହସୁଥାଉ ନିଛାଟିଆ ଖରାବେଳେ
ବିହଙ୍ଗର ମଧୁର କୂଜନେ ।।
ପୃଥିବୀର ଫୁଙ୍ଗୁଳା ଛାତିରେ
ସୀମାହୀନ ଆକାଶର ବିସ୍ତାରିତ
ଛତ୍ରଛାୟା ତଳେ
ବାଦଲର କୋମଳ କୋଳରେ
ରଂଗ ବେରଙ୍ଗର ସ୍ବପ୍ନ ନେଇ
ଉନ୍ମୁକ୍ତ ଯୌବନକୁ ଖିନଭିନ୍ କରି
ଇତିହାସର ଅନ୍ତଃସ୍ବରରେ
ଅତୀତର ଅନ୍ଧାରୀ ପୃଷ୍ଠାରେ
ତାଳ ଲୟ ମଧୁର ତାନରେ
ଜୀବନର ଅଛିଣ୍ଡା, ଅସମାହିତ
ଗାଣିତିକ ସୂତ୍ର ଖୋଜୁ ଖୋଜୁ
ଧୂଆଁଳିଆ ମୁହୂର୍ତ୍ତ ଗୁଡିକ
ଏକ ନିଶ୍ଚିତ,ଓ ସଫଳ
ଉଡାଣର ଲକ୍ଷ୍ୟ ନେଇ
ଉଡୁଥାଉ ଫରଫର ଜନ୍ମଜନ୍ମାନ୍ତର
ଠିକ୍ ଯେମିତି ଉଡୁଥାଏ
ପାର୍ବଣର ରଂଗମଖା କାଗଜର ଗୁଡି
ସକାଳରୁ ସଂଜଯାଏ
ଶୂନ୍ୟତାର ଅଥଳ ଗର୍ଭରେ
ଅନ୍ଧାରର ନିରକ୍ତ ଛାତିରେ ।।
ଶରତ କୁମାର ଦାସ