ଅମୃତମୟ
ଅମୃତମୟ
ଡକ୍ଟର ଦେବାଶିଷ ମହାପାତ୍ର
ଦୁଇଟି ଆବରଣ ଦୂର ମାତ୍ର
ପାଇବାକୁ ଅମୃତର ଛାଇ
ପ୍ରଥମ ଆବରଣଟି ଅଦୃଢ ଭାବରେ ବନ୍ଧା
ଏକ କୃତ୍ରିମ ଭ୍ରମ ସୃଷ୍ଟି ପାଇଁ l
ଠିକ୍ କେମିତି ଆଲୋକର ସନ୍ଧାନରେ
ପତଙ୍ଗର ଅଗ୍ନି ଆଡକୁ ଅନୁଧାବନ
ଖୋଜିବାକୁ ସେ ଆଲୋକର ଉଶ୍ଚ କେଉଁ ଠାରେ
ହେଲେ କଦାପି ସେ ଜାଣି ପାରେନା l
ଏକ ଭୟଙ୍କର ଲୋହିତ ଶିଖାରେ
ଶରୀରଟା ହୁତ୍ ହୁତ୍ ହୋଇ ଜଳିଯାଏ,
ହେଲେ ତାର ଇଚ୍ଛାର ମୃତ୍ୟୁ ହୁଏନା l
ଏଣୁ ବାରମ୍ବାର ସେ ପଡୁଥାଏ
ଜନ୍ମ ମରଣର ଆବର୍ତ୍ତରେ
ତଥାପି ସେ ବୁଝି ପାରେ ନାହିଁ
କାହିଁକି ସେ ଆକର୍ଷିତ ବାରମ୍ବାର
ଅଗ୍ନି ଆଡକୁ ଅନ୍ଧାର ଠାରୁ ଅଦୃଶ୍ୟରେ
ବୋଧହୁଏ ଜନ୍ମ ମରଣର ରହସ୍ୟକୁ
ଭେଦ କରିବା ପାଇଁ ତାର ଏ ଅନୁଧାବନ
ଥରେ ସେ ରହସ୍ୟରୁ ଆବରଣ ହଟିଗଲା ପରେ
ସେ ଲେଲିହାନ ଶିଖା ଠାରୁ କରିବ ପ୍ରସ୍ଥାନ l
ଜାଣିଛନ୍ତି କି ଏ ଭ୍ରମପୂର୍ଣ୍ଣ ଆବରଣଟି କଣ ?
ଏ ଆବରଣଟି ହେଉଛି ଲୋଭ
ମିଳିଗଲେ ଶାନ୍ତି, ନ ମିଳିଲେ କ୍ଷୋବ l
ଦ୍ଵିତୀୟ ଆବରଣଟିର ସତ୍ତା
ଲୁଚି ରହିଥାଏ ପ୍ରଥାମର ଚିର ଆଢୁଆଳେ
ପ୍ରଗାଢ ଓ ପ୍ରଚଣ୍ଡ ଭାବରେ ବନ୍ଧିତ
କେତେ ଛଡେଇଲେ ବି ଛଡେନା
ଏ ଅହଂ ମନୋଭାବଟି ସ୍ଵାର୍ଥପ୍ରିୟ ମନକୁ
ଶାନ୍ତି ପାଇଁ ସ୍ଥାନଟିକେ ଦିଏନା
ଜୀବନଟା ଜଳି ଜଳି ସରିଯାଏ ସିନା
କିନ୍ତୁ ଜଳିବାର କାରଣଟା ଜଣା ପଡ଼େନା l
ଦିନା ନା ଦିନେ ଛିଡିବ ସେ ରହସ୍ୟ ଡୋରୀ
ଲୋଭ ଆଉ ଅହଂର ବନ୍ଧନି ଫିଟିବ ନିଶ୍ଚୟ
ସତ୍ୟ ଶିବ ସୁନ୍ଦରର ମଧୁମୟ ଭାବ ଉଚ୍ଚାରଣରେ
ଜୀବନର ବାକି ଥିବା ସମୟ ହେବ ଅମୃତ ମୟ l