ନକର ହେ ପଥହୁଡା
ନକର ହେ ପଥହୁଡା
କେଉଁ ଧୂପରେ ମୁଁ ବନ୍ଦିବି ତୁମକୁ
ଧୂପ ତ ଯାଉଛି ଜଳି
କେଉଁ ଦୀପରେ ମୁଁ ଆଳତି ବାଢିବି
ଘିଅ ତ ଯାଉଛି ସରି ॥
କେଉଁ ଫୁଲରେ ବା ପୂଜା ମୁଁ କରିବି
କାଲିକୁ ମଉଳିଯିବ
କେଉଁ ପାଟଡୋରେ ତନୁ ସଜେଇବି
କାଲିକୁ ପୁରୁଣା ହେବ ॥
କେଉଁ ମନ୍ଦିରରେ ଥାପିବି ତୁମକୁ
ତୁମେ ପରା ତା'ଠୁ ବଡ
କେଉଁ ସିଂହାସନେ ବସାଇ ପୂଜିବି
ସେ କି ତୁମଠାରୁ ଦୃଢ ॥
କେଉଁ ଭୋଗ ଅବା ନୈବେଦ୍ଯ ବାଢିବି
ଯାହା ନୁହେଁ ତୁମ ସୃଷ୍ଟି
କେଉଁ ମନ୍ତ୍ରରେ ଆମନ୍ତ୍ରିବି ପ୍ରଭୁ !
କାହିଁ ଅତୀନ୍ଦ୍ରିୟ ଦୃଷ୍ଟି ॥
କେଉଁ ଜଳନେଇ ପୂଜିବି,ତୁମରି
ନଖକୋଣେ ପରା ଗଙ୍ଗା
କେଉଁ ଅନ୍ନ ଅବା ବାଢିବି,ତୁମେ ତ
ଷାଠିଏ ପଉଟିଲଗା ॥
ଏ ସାରା ସଂସାର ଯାହାର ଭିଆଣ
ତା'ର ପୂଜାବିଧି ପାଇଁ
ଲୁହ ଦୁଇଟୋପା ଛଡା ଆଉକିଛି
ନିଜର ବୋଲି ମୋ ନାହିଁ ॥
କୋହ ଟଳମଳ ହୃଦୟ ଆଉ ମୋ
ଲୁହ ଛଳଛଳ ଆଖି
ସେ ଆଖିରେ ତୁମ ଦୁଇ ଚକାଆଖି
ସତେ ଯାଇଥିବ ଲାଖି ॥
ଭାବ‐ସରସୀରୁ ଭକତି‐କମଳ
ତୁମପାଦେ ଲୋଟୁଥିବ
ଲୁହରେ ପଖଳା ତୁମ ଦୁଇପାଦ
ଓଠ ମୋର ଚୁମୁଥିବ ॥
ପୁଣ୍ଯ ମୋ ଲୋଡା ନାହିଁ ମହାପ୍ରଭୁ !
ନାହିଁ ମୋ ମୋକ୍ଷ ଲୋଡା
ଭକ୍ତ‐ଭଗବାନ ଭାବ‐ବନ୍ଧନୁ
ନକର ହେ ପଥହୁଡା ॥
×××