ଗ୍ରୀଷ୍ମ ବର୍ଣ୍ଣନା- ୧
ଗ୍ରୀଷ୍ମ ବର୍ଣ୍ଣନା- ୧
ଦୀନକୃଷ୍ଣ ଦାସ
କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ।
କରମାଳିକର ମହା ଖରତର କମଳ କୁମାର ପରାୟେ।
ସୁଜନେ, କି କହିବା ମହୀ ତପତ।
କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧।
କଶଳ ନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ରମାନେ।
କୁଟୁମ୍ବୀ-ଦୀନଜନ ମନ ପରାୟେ ସନ୍ତାପୀ ହେଲେ ଏକାଦିନେ।
ସୁଜନେ, କୃଶ ହୋଇଲା ନଦୀ ଜଳ।
କାନ୍ତ ଘନରସ ବିହୀନେ ଯେମନ୍ତ ଦିଶନ୍ତି ବିରହିଣୀ କୂଳ ।୨।
କୁରଙ୍ଗ-ନୟନା ନୟନ-ତରଙ୍ଗ ବଳି ମୃରଙ୍ଗ ବଳି ମୃଗ ତୃଷ୍ଣା ଦିଶିଲେ।
କଳାମେଘ କୋଳେ ବିଜୁଳି ପରାୟେ ବନେ ବନଅଗ୍ନି ହସିଲେ।
ସୁଜନେ, କାହିଁ ତୃଣରାଜେ ଫୁଟନ୍ତି।
କାମିନୀ ସୁରତ କାଳେ ମନ ମନ ଶବଦ ପରାୟେ ଘଟନ୍ତି ।୩।
କୃପଣ ସାମନ୍ତ ସେବକ ପରାୟେ ତାପ ଜର୍ଜ୍ଜର ସୂର୍ଯ୍ୟକାନ୍ତ।
କାନ୍ତରହିତ କାନ୍ତାପ୍ରାୟେ ହୋଇଲେ ସରସୀମାନେ ବେଶଅନ୍ତ।
ସୁଜନେ, କେବଳ ଭକ୍ତରଙ୍କ ପ୍ରାୟେ।
କଚ୍ଛପ, ମତ୍ସ୍ୟ, ମଣ୍ଡୁକମାନଙ୍କର ଦୁର୍ବଳ ହୋଇଲା କାୟେ ।୪।
କମଳ ବିରହେ କରିବର ରହେ ମହାଗଗନ ଆଶ୍ରେ କରି।
କର୍ଦ୍ଦମରେ ପଡ଼ି ଫେନମୁଖେ ରଡ଼ି ଛାଡ଼ନ୍ତି ଗନ୍ଧର୍ଗ ବଇରୀ।
ସୁଜନେ, କୁଞ୍ଜ ଭିତରେ ପକ୍ଷୀମାନେ।
କେବଳ ଯୋଗୀ ଧ୍ୟାନ କଲା ପରାୟେ ନିଶ୍ଚଳେ ରହିଲେ ମଉନେ ।୫।
କରିବାକୁ ପ୍ରାଣେ ରକ୍ଷା ନିଜପ୍ରାଣ ପରକୁ ଦେଲା ପ୍ରାୟେ ହୋଇ।
କୋକମୃଗ ଯାଇ ଭୟକୁ ପକାଇ ସିଂହ ଛାଇରେ ହେଲେ ଛାଇ।
କୋବିଦେ, କୁଣ୍ଡଳୀକୁଳ ଏହି ରୂପେ।
କଳାପି କଳାପ ତଳରେ ରହିଲେ ପାଇ ବିପତ୍ତିକି ଆତପେ ।୬।
କହିଁଗଲା ବନଲତା ଶୋଭାବନ କାନ୍ତହତ କାନ୍ତା ପରାୟେ।
କରିଥିଲା ସିନା ବସନ୍ତ ତାହାକୁ ନବ ପଲ୍ଲବେ ତୋରାମୟେ।
କୋବିଦେ, କାଳେ ସେ ଅନ୍ତର ହୋଇଲା।
କନ୍ଦର୍ପ ଦର୍ପ ରହିତ ହୋଇ ସଖା ଅଭାବେ ହୃଦରେ ଶୋଇଲା ।୭।
କୁଞ୍ଜେ କୁଞ୍ଜେ ବସି ଝିଙ୍କାରି ଡାକିଲେ କାମକେଳି ବାଟ ପଡ଼ିଲା।
କୁସୁମ କାଣ୍ଡ ମଣ୍ଡି ହୋଇ ଅର୍ଜୁନ ବିଯୋଗୀ ହୃଦୟ ତାଡ଼ିଲା।
କୋବିଦେ, କଉଁ ପଥିକ ତାପ ବଳେ।
କରନ୍ତେ ଗମନ ଶ୍ରମପାଇ ଯାଇ ବସନ୍ତି ବହୁପାଦ ତଳେ ।୮।
କ୍ରମଶଃ........ ଭାଗ- ୨