ସୃଷ୍ଟିକର୍ତ୍ତାଙ୍କୁ ଗୁହାରୀ
ସୃଷ୍ଟିକର୍ତ୍ତାଙ୍କୁ ଗୁହାରୀ
ହେ ସୃଷ୍ଟିକର୍ତ୍ତା ,
ନିଜେ ନର ବୋଲି ହେଲ କି ଏତେ ସ୍ବାର୍ଥପର?
ନର ମାନଙ୍କୁ ଶକ୍ତିମାନ କରି, ଦେଲ ତାଙ୍କୁ ସାମର୍ଥ୍ୟ ଅପାର?
କ୍ଷମତା ଦେଲ ହେବାକୁ ନିଜ ଇଚ୍ଛାର ଈଶ୍ବର?
ପ୍ରତ୍ୟେକ ସ୍ଥାନରେ ହେବାକୁ ଏକଛତ୍ରବାଦୀ ଅଧୀଶ୍ବର?
କାମୁକତା,ପାଶବିକତା ରେ ଭରପୁର ହୃଦୟ ତାଙ୍କର?
ଦେଖନ୍ତି ନାହିଁ ଚର୍ମ ଚକ୍ଷୁରେ ବୟସ ଝିଅଟିର?
ଦମନ କରି ପାରନ୍ତିନି ପାଶବିକ କ୍ଷୁଧା ଓ ପିପାସା ନିଜର?
ଯାହାର ପ୍ରାପ୍ତିର ସ୍ଥିତି କେବଳ କ୍ଷଣିକର?
ବୋଧଶକ୍ତି କି ଲୋପହୁଏ ଆସିଲେ ଚିନ୍ତା ଏ ପ୍ରକାର?
ତନୟାଟି କି ଲାଗେନା କନ୍ୟା,ଭଗିନୀ ନିଜର?
ଲାଗେକି ସର୍ବଦା ଭୋଗ୍ୟା ବସ୍ତୁ ତୃପ୍ତ କରିବାକୁ କାମନାଗ୍ନି ତାର?
ବିବେକ କି ରୋକେନା ପଥ ତାର?
ମନର ଘୋଡା ଆଗେ ହୋଇଯାଏ ସେ ଏତେଟା ନାଚାର?
କୁକର୍ମ କଲାପରେ ଅନ୍ତର୍ମନ କି ତାକୁ କରେନା ପ୍ରହାର?
ତା'ର ଦୁଷ୍କର୍ମ କି ହୁଏନା ନଜିର୍ ସମାଜର?
ନା, ନା , ନା, ହୋଇନାହିଁ ହେବନାହିଁ ସମାଧାନ ଏ ସମସ୍ୟାର ।
ହେ ସୃଷ୍ଟିକର୍ତ୍ତା
ଅନୀତିର ଚରମ ଶିଖରେ ହୁଏନା କି ଆସନ ଟଳମଳ ତୁମର?
ଅସିଫା ମାନଙ୍କର କରୁଣ ଆର୍ତ୍ତନାଦ ହୁଏନାକି କର୍ଣ୍ଣଗୋଚର?
ହୁଏ କାହିଁ ବାରମ୍ବାର ପୁନରାବୃତ୍ତି ଏହାର?
ପାଳନକର୍ତ୍ତା ଓ ସଂହାରକର୍ତ୍ତାଙ୍କ ସଙ୍ଗେ ହୁଏନା କି ଆଲୋଚନା ତୁମର?
ତାହେଲେ କରନା କାହିଁକି ଏ ଅନ୍ୟାୟ ଓ ଦୁରାଚାରର ଉପଚାର?
ହେ ସୃଷ୍ଟିକର୍ତ୍ତା ,
ଜାଣିଶୁଣି କରିଛ କି ଶକ୍ତିହୀନା ନାରୀକୁ?
ଅବଳା,ଦୁର୍ବଳା କୁହାଗଲେ ଭଲଲାଗେ କି ତୁମକୁ?
ହଁ , ହୁଏତ ଶୁଣିବାକୁ ଭଲ ଲାଗେ ଏତକ କାରଣ
ନାରୀ ଯଦି ଦୁର୍ବଳା ନହୁଏ ତେବେ
ସବଳତାର ମୁକୁଟଟି ଶୋହିବନି ପୁରୁଷର ମସ୍ତକ ।