ଶୀତତାପ ନିୟନ୍ତ୍ରିତ କୋଠରିରେ
ଶୀତତାପ ନିୟନ୍ତ୍ରିତ କୋଠରିରେ
ଶୀତତାପ ନିୟନ୍ତ୍ରିତ କୋଠରିରେ
ପର୍ଶୁରାମ ବିଶ୍ୱାଳ
ଶୀତତାପ ନିୟନ୍ତ୍ରିତ କୋଠରିରେ ହୁଏ ଏ ଦେଶ ଯୋଜନା
କି ବୁଝିଚି ସେଇ ଧନୀ ମଣିଷଟି ଏଇ ଗରିବ ବେଦନା
ତୂଳୀତଳ୍ପ ଶେଯେ ଯା’ ଦିନ ବିତୁଚି
କି ଅଛି ତା’ର ଭାବନା ?
ମୁଣ୍ଡଝାଳ ତୁଣ୍ଡେ ମାରି ଚାଷୀଭାଇ ଫଳାଏ ଫସଲ ତା’ର
ଯା’ର ଦାନ ପାଇଁ ବଞ୍ଚିଛି ମଣିଷ, କେ’ ରଖେନା ତା ଖବର
ଚାଷ ଯୋଜନାରେ ତା’ର ନାହିଁ ସ୍ଥାନ
ବିଚିତ୍ର କହିବା ସିନା ।
ସହରରେ ଖୋଜେ ସର୍କାର କାରଣ ଗାଆଁର ଗରିବୀ କଥା
ଗାଆଁ ଲୋକ ନେଇ ପଚାରେନା କେହି, ବିଚିତ୍ର ଏଇ ବ୍ୟବସ୍ଥା
ସେ ଯୋଜନା କିସ ହବ ରୂପାୟନ
ଏଠି ଅଛି ବିଡ଼ମ୍ବନା ।
ଗାଆଁ ଅର୍ଥନୀତି ବଦଳିଲେ ସିନା ହବ ଏ ଦେଶ ପ୍ରଗତି
ଆମରି ସଂସଦ, ବିଧାନସଭାରେ କୃଷକଟିଏ ନାହାନ୍ତି
ସମସ୍ୟା ଯାହାର ସେ ମୁହଁ ଖୋଲିଲେ
ସାମାଧାନ ସମ୍ଭାବନା ।
ବୁଝେଇକି ଥରେ କହିଦେ ଠାକୁର ସରକାରକୁ ଗୋଟିଗୋଟି
ଯାହାର ସମସ୍ୟା ସିଏ ଭାଗନେଲେ ଯୋଜନା ହବନି ତ୍ରୁଟି
ତେବେରେ ଉଡ଼ିବ ଫରଫର ହେଇ
ଦେଶର ସମୃଦ୍ଧି ବାନା ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****