ଖୋଜୁଛି ଚାତକ
ଖୋଜୁଛି ଚାତକ
ଏବେ ବି ଏ ମାଟି ପବନରେ ଖାଣ୍ଟି
ମହମହ ହୁଏ ବାସନା
ସାଉଁଟିବା ପାଇଁ କିପାଇଁ ଗୋ ଧାଇଁ
ଏଯାଏଁ ଏଠାକୁ ଆସନା ?
ତୁମକୁ ହରାଇ ଲୋତକ ଝରାଇ
ଜୀବନ ମୋ ବିତି ଯାଉଛି
ତୁମେ ନାହଁ ବୋଲି ଗାଉନାହିଁ ଖୋଲି
ଅଧା ଗୀତେ କଷ୍ଟ ପାଉଛି ।
ପରାଣ ମିତରେ ମୋର ଏ ଗୀତରେ
ଲେଖୁଥାଏ କଥା ତୁମରି
ଏ ଆଖିରେ ସାରା ଶ୍ରାବଣର ଧାରା
ଅତୀତର ସ୍ମୃତି ସୁମରି ।
ବଞ୍ଚି ବି ବଞ୍ଚିନି କିଛି ବି ସଞ୍ଚିନି
ସବୁ ତ ଦେଇଛି ହରାଇ
ବିରହର କାଳ ମରୀଚିକା ମାଳ
ଆଖି ଆଗେ ଗଲ ଝରାଇ ।
ସ୍ଵପ୍ନ ପରିଧିରେ ଘୂରୁଥିଲା ଧୀରେ
ସାଥୀରେ ଏ ପକ୍ଷୀ ଯେଉଁ ରେ
ସୋମର ମଦିରା ପିଇ କି ଅଧୀରା
ଛାଡିଗଲ ଶୋକ ଢେଉରେ ।
ନିରାଶର ବନେ ଆଶା ଭରି ମନେ
ଦେଲ ସବୁଜିମା ସପନ
ଲଗାଇଲ ନିଆଁ ଜାଳିଦେଲ କିଆଁ
ସାଜି ଏ ନିଦାଘ ତପନ ।
କଲି କି ପାତକ ଖୋଜୁଛି ଚାତକ
ପରାୟେ ବରଷା ପରଶ
ଆଜି ଆଉ କିଛି ପାରୁନାହିଁ ଇଚ୍ଛି
ସରିଯାଇଛି ମୋ ହରଷ ।
ପ୍ରସନ୍ନ କୁମାର ମାଦଳା