ଅବଶୋଶ
ଅବଶୋଶ
ଅଶାନ୍ତ ଲାଗେ ମାଟିରୁ ଆକାଶ
ଉଦବେଳିତ ଧୂସର ବଳୟ
କୁଣ୍ଡଳୀ କୁଣ୍ଡଳୀ ଧୂଆଁ ର ପ୍ରସାରିତ
ବହଳିଆ ଆବରଣ ତଳେ ଯାହା
କେତୋଟି ଶୁଖିଲା ନିଶ୍ବାସଙ୍କ ଭିଡ
ଆଖିର ଜମାଟ ବନ୍ଧା ଲୁହସବୁ
କୂଳ ଲଂଘନ କରେ ବାରମ୍ବାର
ମାଡି ଚାଲେ ପାହାଡ ପର୍ବତ
ବେଦନାର ଅନ୍ତରାଳେ ରଣହୁଙ୍କାର
ମରିବା ବଂଚିବାର ଦୋଛକିରେ
ସଂଘର୍ଷ କରୁଥାଏ କଅଁଳ ଜୀବନ ।।
ଏମିତି ବି ହୁଏ କେତେଥର କେଜାଣି
ନିଜର ନିସ୍ବପଣିଆରେ ବନ୍ଦୀ ହୋଇଯାଏ ମୁଁ
ନିଗିଡି ପଡେ ସ୍ବେଦ ବିନ୍ଦୁ ଟପ୍ ଟପ୍
ଲୁହ ଲହୁର ଫେଣ୍ଟା ଫେଣ୍ଟି ଘର୍ଷଣରେ
ବନ୍ଧାପଡିଯାଏ ସ୍ବଚ୍ଛ ସ୍ବାଭିମାନ
ପକ୍ଷୀମାନେ ଉଡିଯାଆନ୍ତି ମହାଶୂନ୍ୟ କୁ
ଭାଙ୍ଗିଯାଏ ନୀଡ ,ପତ୍ର ସବୁ ଝଡିଯାଏ
ଝରେନାହିଁ ବାସ୍ନା ଆମ୍ବ ବଉଳରୁ
କୋଇଲି ଗାଏନା ଗୀତ ପତ୍ର ଆଢୁଆଳେ
ଡହ ଡହ ମରୁଭୂମି ଅସରନ୍ତି ପଥ
କେବଳ ଶୂନ୍ୟତା ମେଂଚା ମେଂଚା ଅନ୍ଧକାର ।।
ଇଛାମାନେ ଥକିପଡନ୍ତି ଦୌଡି ଦୌଡି
କକ୍ଷଚ୍ୟୁତ ହୁଅନ୍ତି ବାର୍ ବାର୍
ଭାଙ୍ଗିପଡେ ଆତ୍ମବିଶ୍ବାସର ସୁଉଚ୍ଚ ଇମାରତ
ଜବରଦସ୍ତ ଧସେଇ ପଶେ କଳା କଳା ଛାଇ
ଅନାବୃତ ହୃଦୟ ମୋ ଢାଙ୍କି ହୋଇଯାଏ
ଅବିଶ୍ବାସ ର ଲେଲିହାନ ଶିଖା ରେ
ଜଳିପୋଡି ପାଉଁଶ ହୋଇଯାଏ
ଭାଗ୍ୟ ଓ ଭବିଷ୍ୟତ ର ସୁନ୍ଦର ଚିତ୍ରପଟ
ପୂର୍ଣ୍ଣିମା ର ତୋଫା ଜହ୍ନ ରାତିଟା ଫିକା ପଡିଯାଏ
ମାଡି ଆସେ ଅମାବାସ୍ୟା ର କାଳରାତ୍ରି
ଠୋ ଠୋ ହସୁଥାଏ ସମୟର ଖଣ୍ଡିଆଭୂତ
ମୋ ଅବଶୋଷବୋଧ ଭଙ୍ଗୁର ମନର ସୁଯୋଗ ନେଇ ।।
ଶରତ କୁମାର ଦାସ