ତୁମ ପ୍ରେମେ ବନ୍ଧା ଏ’ ଜୀବନ
ତୁମ ପ୍ରେମେ ବନ୍ଧା ଏ’ ଜୀବନ
ଚଲାପଥେ କି ସେ ଅପୂର୍ବ ସୁନ୍ଦରୀ
‘ଝିଅଟି ସୀତା ପରି’।
ପ୍ରେମ ବରଷିଲା ମନ ଆକାଶରୁ
ହୃଦୟ ଗଲା ମୋ ଭରି ।
ଥିଲି ‘ଯାଯାବର’ ତାକୁ ଦେଖି ମୋର
ମନ ହେଲା ହାଇଁପାଇଁ,
ମନ ମୋ’ କହିଲା ଆଣିବୁ ତୁ ତାକୁ
‘ସିନ୍ଦୁର ବିନ୍ଦୁ’ ନାଇ ।
‘ଏ ନୁହେଁ କାହାଣୀ’ କହେ ରାଣ ଖାଇ
‘ଗପ ହେଲେ ବି ସତ’,
‘ଚିଲିକା ତୀରେ’ ସେ ଉଭୁରିଲା ପ୍ରେମ
ହାତରେ ମିଶିଲା ହାତ ।
ତା’ ଗାଆଁର ସେ ମଉଡ଼ ମଣି
ନାଆ ଥିଲା ତା ‘ଗଉରୀ’,
‘ମାନିନୀ’ ପରି ମୃଗନୟନୀ ସେ
‘ଆରତୀ’ ଭଳି ସୁନ୍ଦରୀ ।
'କାବେରୀ' ପରି ସରସ ସେ ହସ
ହେବ ମୋ' ‘ନୂଆ ବୋହୁ',
'ଜୀବନ ସାଥୀ' ମୋ' ଏଇ 'ଶ୍ରାବଣ'
ସାକ୍ଷୀ ହୋଇ ରହିଥାଉ ।
'ଶେଷ ଶ୍ରାବଣ' ବା 'ଅଦିନ ମେଘ'
ଆସଇ ପ୍ରତି ଜୀବନେ,
ତଥାପି ଚାଲେ 'ଘର ସଂସାର'
'ମମତା'ର ପ୍ରାଙ୍ଗଣେ ।
'ମନର ଆକାଶ' କେତେ ଯେ ସୁନୀଳ
ଗଢ଼ିବା 'ସୁନା ସଂସାର',
'ଶଙ୍ଖ ମହୁରୀ' ସଦା ଗାଉଥାଉ
ପ୍ରେମ କାହାଣୀ ଆମର।
'ଦଣ୍ଡା ବାଳୁଙ୍ଗା' ଥିଲି ଏ' ଜୀବନେ
ତୁମରି ସେନେହ ପାଇ,
ଜମମ 'ତପସ୍ୟା' କରିଛ ସାର୍ଥକ
'ପ୍ରିୟତମା' ତୁମେ ହୋଇ ।
ତୁମେ 'ଦେବଜାନୀ', ତୁମେ 'ପୁଜାରିଣୀ'
'ପୂଜା ଫୁଲ' ପ୍ରେମ ଆମ,
'ପୂଜା' ଥାଉ ମନେ, ମନ ମୋର କହେ
ଏଇ ତ 'ଅମର ପ୍ରେମ'।
'ଫୁଲ ଚନ୍ଦନ' କି 'ପୂଜା ଚନ୍ଦନ' ସେ
ଅବା ଅନ୍ଧାର ଆଲୁଅ,
ପ୍ରତି ଜୀବନର 'ଆଶାର ଆକାଶ'
'ଟିକେ ହସ ଟିକେ ଲୁହ'।
'କଲ୍ୟାଣୀ' ଗୋ ତୁମେ 'ସୁବର୍ଣ୍ଣ ସୀତା' କି
ଅବା ଗୋ 'ସ୍ବପ୍ନ ସାଗର'
'ଚକା ଭଉଁରୀ' ଏ ଜୀବନ ଚକ୍ରରେ
ତୁମେ 'ହୀରାନିଳା' ମୋର ।
'ବଗୁଲା ବଗୁଲୀ' ଏ' ଜନମେ ଆମେ
'ଏଇ ଯେ ଆମ ସଂସାର',
'ସପନ ବଣିକ' ମୁଁ ତୁମର ପ୍ରିୟେ
ତୁମେ 'ନିରୂପମା' ମୋର ।
'ସୁନା ଚଢ଼େଇ' ମୋ' ମନ ବଗିଚାରେ
ତୁମେ ଗୋ 'ରଜନୀଗନ୍ଧା',
'ଟୋପାଏ ସିନ୍ଦୁର, ଦି' ପଟ ସଙ୍ଖାରେ'
ଜୀବନ ଆମରି ବନ୍ଧା ।
ମୁନ୍ନା ମହାପାତ୍ର,
ଗୁଣପୁର