ଓଠର ଚାକର
ଓଠର ଚାକର
ଏଇ ଯେଉଁ ସୁନ୍ଦର ମହିଳାଟି
ନାଲି ଓଠର, ସୁନ୍ଦର ଝିଲିପି ବାଳର
କେଡେ ସୁନ୍ଦର କରି ସ୍ରଷ୍ଟା ଗଢ଼ିଛି
କିନ୍ତୁ ଦୁର୍ଭାଗ୍ୟ !
କେମିତି କେମିତି ଆସ୍ତରଣ
ଜମେଇ ଦେଇଛି ସେ ଚାରିପଟେ
ଲାଗେ ଯେମିତି ପହଞ୍ଚି ହେବନି
ତା ପାଖରେ -ଏ ଜୀବନରେ
ବିଦୁଷିଟିଏ ହୋଇଥିବ, ଅଭିମାନୀ
ନାକ ଉପରେ ରାଗ
ତାର କିଛି ମତଲବ ନ ଥାଏ
ଚାରି ପଟେ ଏପଟ ସେପଟ ହେଉଥିବା
ଆଉ କିଛି ମଣିଷଙ୍କ ବିଷୟରେ
ଘୃଣା ଭଲା କରନ୍ତା କି
ମୁହଁ ତ ଉଠାଇ ଦେଖନ୍ତା ଇଆଡ଼େ
ତା ବିଷୟରେ ଲୋକେ ଭାବି ହୁଅନ୍ତି ଏମିତି ସିନା
ପଇସାକର ବି ସିଏ ଭାବେନା କା' କଥା
କୌତୁହଳପ୍ରଦ ନୁହେଁ - ଏ ଭଳି କାହାକୁ
ସାଥି ରୂପରେ ପାଇବା ?
କାନ ମୋଡି ଚାପୁଡାଟାଏ ମାରିଦେଲା
ମୋ ଶୁଭଚିନ୍ତକ ସାଙ୍ଗଟି
କହିଲା-
ଯଦି ସେ "ହଁ" କରି ଦିଏ
ସମ୍ଭାଳି ପାରିବ ତ ?
ଦେହ ଥରି ଗଲା
ଲିଭିଗଲା କିଛି ସମୟ ପାଇଁ
ମନମାଟିକୁ କର୍ଷଣ କରି ଜନ୍ମି ଥିବା
ପ୍ରେମର ଦୁଇ ପତ୍ରିଆ ଅଙ୍କୁର
ତେବେ କଣ ପାଇଁ ଏତେ ପ୍ରଚେଷ୍ଟା?
ସାମ୍ରାଜ୍ୟବାଦୀ ଏ ମନ
ଗୋଟେ ପରେ ଗୋଟେ ମନର ଦୁର୍ଗମ ଦୁର୍ଗକୁ
ଜୟ କରିବାରେ ହିଁ ଆନନ୍ଦ
ଜିତିଲା ପରେ ସେଠି ରହିବାର
ଅଭିପ୍ରାୟ ଥାଉ ବା ନ ଥାଉ?
କିମ୍ବା ଜିତିଲା ପରେ ଫେରେଇ ଦିଆଯାଉ ପଛେ ଦୁର୍ଗକୁ -
ତା ଶାସକକୁ
ଯେଉଁ ଦୁର୍ଗ ଯେତେ ଅଭେଦ୍ୟ
ତାକୁ ଜିଣିବାରେ ସେତେ ରୋମାଞ୍ଚ
ମାତ୍ର କଣ ହେବ ସେ ସବୁର-
ମଝିରେ ଯେତେ ରକ୍ତପାତ
ଛୋଟ ଛୋଟ ସମ୍ବେଦନାର ମୃତ୍ୟୁ
ଦୁର୍ଗର ନିଜ ମନକଥା ଆଉ ବ୍ୟଥା
ତାକୁ ବୁଝିବ କିଏ ?
ଦୁର୍ଗର ସ୍ଥାୟୀ ମାଲିକ କେହିବି ନୁହନ୍ତି
ସିଏ ତ ମାନି ନେଇଥାଏ ବଶତା
ପରାକ୍ରମୀ ବୀର ପାଖରେ
ପୁଣି କାହାଣୀ ସେଇଠୁଁ ଆରମ୍ଭ
ପୁଣି ଗୋଟେ ନାଲି ଓଠ
ପ୍ରସ୍ତୁତି ଆରମ୍ଭ-
ଆଉ ଗୋଟିଏ ବିଜୟ ଅଭିଯାନର