ଅଶାନ୍ତ ଝଡ
ଅଶାନ୍ତ ଝଡ
ଲଣ୍ତା ପାହାଡର ଭଗ୍ନ ଶିଳା କାନ୍ଦେ
ଜଳୁଛି ତା ବାରବାଟି,
ଅଶାନ୍ତ ଝରଣା ତୁଷାର୍ତ୍ତ ସାଜିଛି
କେଉଁ ଧାର ଦେବ ଭେଟି ॥
ଚୂଳୁଁ ମୂଳଯାଏ ଶୋହେ ଶିଳାକାଏ
ହରାଇଛି ବନରାଜି,
ପୃଥିବୀ ସାଜିଛି ଉତ୍ତପ୍ତ ବଳୟ
ପ୍ରଶାନ୍ତି ଗଲାଣି ହଜି ॥
ସୁନାମୀ ନେଉଛି ଅମୂଲ୍ୟ ଜୀବନ
ଅଂଶୁଘାତରେ ଏ ଧରା,
ଅତି ବାଇଗଣି ରଶ୍ମିରେ ଧରଣୀ
ବାଢିଛି ହୃଦ ପସରା ॥
ସବୁଜ ବନାନୀ ଉଜୁଡି ଗଲାଣି
ନର ରାକ୍ଷସ କବଳେ,
ମଉସୁମୀ ବାୟୁ ହରାଇ ତା ଆୟୁ
ଲୁଚିଲାଣି କାଳବଳେ ॥
ଅଶାନ୍ତ ଝଡରେ ଜୀବେ ଉବୁଟୁବୁ
ଅଶାନ୍ତ ଆଜି ସମାଜ,
କାଳ ବୈଶାଖିର କାଳ ଭଊଁରୀରେ
ପାଳୁଛନ୍ତି ରଜୋତ୍ସବ ॥
ଧର୍ଷଣରେ ବନ୍ଧା ଏ ନଗ୍ନ ସମାଜ
ସତୀ ହୁଏ ଅପହୃତା,
ପିତା ମାତା ଭାଇ ଗୁରୁ ଗୁରୁଜନ
ଅଶାନ୍ତେ ଲଭନ୍ତି ଚିତା ॥
ନାରୀ ପାଇଁ ଅରି ସମାଜ ବଇରୀ
ନାରୀ ଅଶାନ୍ତ ଜନନୀ,
ଆଇନି ଡୋରିରେ ତାଲା ପଡିଲାଣି
ଅଶାନ୍ତ ଆଜି ଧରଣୀ ॥
ଅଶାନ୍ତ ଝଡର ଶାଗୁଣା ବସିଛି
ବୋହିନେବ ତା ଡେଣାରେ,
ଅକାଳ ବିୟୋଗ ଆଖି ମାରିଲାଣି
ଚିତା ଜାଳି ଶ୍ମଶାନରେ ॥