ଝିଅଟିର ଚିଠି ତା'ର ବାପାଙ୍କୁ
ଝିଅଟିର ଚିଠି ତା'ର ବାପାଙ୍କୁ
କିବା ଦୋଷ ଦେଖି ବାପା ହେ
ମୋତେ ଦୂରେ ଠେଲିଲ
କେଉଁ ଅପରାଧେ ମୋତେ ଯେ
ପାଶୁ ଅନ୍ତର କଲ।
ଦୁହିତା ଜନମ ସତରେ
ଏତେ କଠୋର ବୋଲି
ବିଭା ବାସି ଠାରୁ ମୁହିଁ ଯେ
ତାହା ଜାଣି ପାରିଲି।
ଘରେ ନ'ପଶୁଣୁ ମୁଣ୍ଡରେ
ଯେବେ ଚାଳ ବାଜିଲା
ଆଖିର ଲୁହ ସେବେ ଓଠ ମୋ
ଚୁପି ପିଉଣ ଥିଲା।
ତୁମେ କହିଥିଲ ବାପା ହେ
ଝିଅ ପର ଧନଟି
ପର ଝିଅ ଘର ଭାଙ୍ଗିଲା
ଖୁଣ୍ଟା ଖାଉଛି ନିତି।
ପାଠ ପଢା ସରି ନଥିଲା
ପର ହସ୍ତେ ଟେକିଲ
ଝିଅ ବୋଝ ବୋଲି ମନେ କି
ତୁମେ ଭାବୁଣ ଥିଲ।
ଚଟୁ କେବେ ମୁହିଁ ବାପା ହେ
ଦିନେ ନଥିଲି ଧରି
ଚୁଲି ମୁଣ୍ଡେ କେବେ ଯାଇକି
ନଥିଲି ରୋଷେଇ କରି।
ରାନ୍ଧଣା ଜାଣିନି ବୋଲି ଯେ
ନିତି ଶୁଣେ ଗଞ୍ଜଣା
ମାଆ ଶିଖାଇନି ତୋତେ ଲୋ
କିଛି ଘର କରଣା।
ବାହାଘର ଦିନ ବାପା ହେ
ଯେବେ ପାଛୋଟି ନେଲେ
ପଡୋଶୀ ବନ୍ଧୁ ବାନ୍ଧବ ଯେ
ଦେଖି ଧାଇଁ ଆସିଲେ।
କିଏ ଦେଖେ ସୁନା ହାର ଯେ
କିଏ ସୁନାର ଚୁଡି
କେତେ ଭରି ସୁନା ଆଣିଛୁ
କିଏ ଦେଲା ପଚାରି।
ସେଥିରୁ କିଏ ସେ କହିଲା
ବାପା ଗରୀବ ବୋଲି
ଦେଇନି ଯୌତୁକ ଭାର ଯେ
ଝିଅ ଆସିଛି ଖାଲି।
ତୁମ ପାଶେ ଯେବେ ଥିଲି ମୁଁ
ଶାଗ ପଖାଳେ ଖୁସି
ସୁନାର ପଞ୍ଜୁରୀରେ ଶାରୀଟି
ଏବେ ହେଲାଣି ପେଶି।
ବଡ଼ ଘର ଦେଖି ଛାଡିଲ
ମୋର ଭବିଷ୍ୟ ପାଇଁ
ନିଜର ମୋହର ଏଠି ଯେ
କେହି ଦିଶନ୍ତି ନାହିଁ।
ଦଶ ଦୋଷ କ୍ଷମା କରିବେ
ତୁମେ କହୁଣ ଥିଲ
ଛୋଟ ଛୋଟ ଛିଦ୍ର ଖୋଜନ୍ତି
କୁହନ୍ତିନି ଯେ ଭଲ।
ଦୁହିତା ଜନ୍ମଟି ସତରେ
ଭାରି କଲବଲିଆ
ଭାବି ଭାବି କିଆଁ ବାପା ହେ
ମୋର ଫାଟଇ ହିଆ।
କୋଳାହଳ ମଧ୍ୟେ ସମୟ
ମୋର କଟୁ ଯେ ଥିଲା
ଡରି ଡରି ଏଇ ଜୀବନ
ମୋତେ ଭାରି ବାଧିଲା।
ତୁମ ସାଥେ କଥା ହେବାକୁ
ଏଠି ଲାଗିଛି ଧାରା
କାହାକୁ କହିବି ଦୁଃଖ ହେ
କିଏ ବୁଝିବ ପରା।
ତୁମେ କହୁଥିଲ ବାପା ହେ
ପାଠ ପୁରା କରିବୁ
ତୋ'ର ସ୍ଵପ୍ନ ସତ କରିବେ
ତୁମ ଜାମାତା ବାବୁ।
ତାଙ୍କ କଥା କିଶ କହିବି
ଭାଷା ମିଳୁ ଯେ ନାହିଁ
ପର ଝିଅ ପାଶେ ମନ ହେ
ମୋ କଥା ବୁଝନ୍ତି ନାହିଁ।
କଥା କଥାକେ ତାନା ମାରନ୍ତି
ତୁମ ନାମକୁ ଧରି
ତୋ ବାପା ପାଶେ କିଛି ଶିଖିନୁ
ତୁ ଭାରି ମୁଖରି।
ଏନ୍ତୁଡି ନିଆଁ ଟି ଜଳିଲା
ଯେବେ ମାତୃ କୂଳରେ
ଜୁଇର ନିଆଁକୁ ଅପେକ୍ଷା
ମୁହିଁ ନିଇତି କରେ।
ଅଲିଅଳି ରାଜଜେମା ଯେ
ତୁମ ପାଶେ ଥିଲି
ଏଠିକି ଆସିକି ବାପା ହେ
ପାଦ ପାଣ୍ଡେଇ ହେଲି।
ଶେଷ କଥା ମୋର ବାପା ହେ
ଥରେ ଉତ୍ତର ଦେବ
ଦୁହିତା ଅସଲ ଠିକଣା
ମୋତେ ଭାବି କହିବ।
ପର ଧନ ବାପା ପାଶରେ
ଯଦି ଜନମୁ ସିଏ
ଶଶୁରାଳୟରେ ତାକୁ ଯେ
ପର ଝିଅଟି କହେ।
ଏତିକି ବିନତି ବାପା ହେ
ମୋତେ ଉତ୍ତର ଦେବ
ସଠିକ କଥାଟି ମୋ ପାଶେ
ତୁମେ ବଖାଣି ଦେବ।