ପରାଣ ହୋଇବ ତୋଷ
ପରାଣ ହୋଇବ ତୋଷ
ମନ ତୋଷିବାକୁ ଯେତେକ ପ୍ରୟାସ
କରୁଅଛ ଆଗୋ ସଖି ,
ସେଇ ମନ ଯାଇ ଆଉ କା ପାଖରେ
ହୋଇ ପାରୁନି ମୁଁ ସୁଖୀ ।
କେମିତି କହିବି କେତେ ଯେ ବେଦନା
ଚାପି ରଖିଛି ଏ ମନେ ,
ଅହରହ ସେଇ ମନମୋହନଙ୍କ
ବଂଶୀଧ୍ୱନି ଶୁଭେ କାନେ ।
ନୟନ ଯୁଗଳ ଝୁରୁଅଛି ସଦା
ଦେଖିବାକୁ ନୀଳ ତନୁ ,
ଆନ କେଉଁଥିରେ ରୁଚି ନାହିଁ ମୋର
ସେଇ ମନଚୋର ବିନୁ ।
ଦିବାନିଶି ଖାଲି ତାଙ୍କୁ ହିଁ ଝୁରୁଛି
ମରମ ହେଉଛି ଦହି ,
ଆଗୋ ସଖିଶ୍ରେଣୀ ବିରହ ବେଦନା
ଆଉ ହେଉନାହିଁ ସହି ।
ଆଣିଦେବ ଯଦି ସେ ପ୍ରାଣବନ୍ଧୁଙ୍କୁ
ପରାଣ ହୋଇବ ତୋଷ ,
ତେବେ ଯାଇ ମୋର ମଉଳା ମୁହଁରେ
ଉକୁଟି ଉଠିବ ହସ ।