ବାପା
ବାପା
ମୋର ମନେ ନାହିଁ ତୁମ ହାତଧରି
ଚାଲିବା ଶିଖିଛି ବୋଲି
ହେଲେ ଭୁଲି ନାହିଁ ଟେକି ନିଅ କାନ୍ଧେ
ଥକି ଯିବି କାଳେ ଚାଲି ||
ଯେବେ ଯେବେ ମୁଁ ଅଝଟ ହୋଇଛି
କୋଳକୁ ନେଇଛ ଟାଣି
ସବୁ ଆଣି ଦିଅ ଯାହା ଦରକାର
କହିବା ଆଗରୁ ଜାଣି ||
ସଦା ଚାହଁ ତୁମେ ନୟନୁ ମୋହର
ନଝରୁ ଲୁହର ଟୋପା
ସେଥିପାଇଁ ବୋଧେ ନିଜେ ଦୁଃଖ ସହି
ଖୁସିରେ ରଖିଛ ବାପା ||
ଅମାନିଆ ହେଲେ କେତେ ଯେ ବୁଝାଅ
ନଦେଇ କେବେ ବି ଗାଳି
ଫୁଲ ଟିଏ ପରି ସଦା ଯତ୍ନ ନିଅ
ସାଜି ବଗିଚାର ମାଳି ||
ଜୀବନର ପଥ ପାରି ହେବାପାଇଁ
ଯେବେ ମୁଁ ବିଫଳ ହୁଏ
ନିରାଶା ଆଗରୁ ସାହସ ଦେଇଛ
ପିଠି ଥାପିବାର ପାଏ ||
ହାରିବା ଶିଖିନି ଜୀବନେ ମୋହର
କେବଳ ତୁମରି ପାଇଁ
ପଡିବା ଆଗରୁ ସମ୍ଭାଳି ନେଇଛ
ସଦାବେଳେ ତୁମେ ଧାଇଁ ||
ବାସ୍ତବ ଜୀବନେ ତୁମେ ମୋ ନାୟକ
ଆଦର୍ଶ ତୁମେ ମୋ ବାପା
ସାହାଯ୍ୟ କରିଛ ସମସ୍ତଙ୍କୁ ସଦା
ନହୋଇ କେବେ ବି ଖପା ||
ଆକାଶଠୁ ବଡ ନଦୀଠୁ ବିସ୍ତାର
ତୁମପରି କେହି ନାହିଁ
ତୁମ ପାଦତଳେ କୋଟି ଯେ ପ୍ରଣାମ
ପୂଜୁଥିବି ନୀତି ମୁହିଁ ||
ସବୁ ଜନମରେ ତୁମରି କୋଳରେ
ଜନମ ଲଭିବା ପାଇଁ
ଗୁହାରି କରୁଛି ଆହେ ମହାବାହୁ
ବିନତି ଘେନିବ ସାଇଁ ||
-