ପାହାଡ଼ି କନ୍ୟା
ପାହାଡ଼ି କନ୍ୟା
ଗଜ ଗାମିନୀ ପାଦ ପରଶେ ଲକ୍ଷେ ପଦ୍ମ ଫୁଟେ,
ଚହଲିଗଲେ କୁଆଁରୀ ମନ ଆକାଶେ ମେଘ ଘୋଟେ ।
ଆଖିରେ ତୋର କଜ୍ଜଳ ଗାର ମନକୁ ନିଏ କିଣି,
ଓଠରୁ ଅବା ମୁକ୍ତା ଝରେ ସୂର୍ଯ୍ୟ ଆଭା ଜିଣି ।
ମୁଖମଣ୍ଡଳୁ ଝଲସିଉଠେ କୋଟିଫଗୁଣ ରଙ୍ଗ,
ମୌସୁମୀ ପ୍ରାୟେ ରେଶମୀ ସ୍ପର୍ଶ ଭିଜାଇ ଦିଏ ଅଙ୍ଗ ।
ମନ୍ଦମନ୍ଦ ବୃଷ୍ଟି ଅବା ମୁରୁକି ହସ ତୁମ,
ସଂଚାରି ଦିଏ ଅମୀୟ ରେଣୁ ସଂଜୀବନି ପ୍ରେମ ।
ସୁଗନ୍ଧେ ତୁ ପୁଷ୍ପରାଜ ସ୍ୱର୍ଣ୍ଣ ଚମ୍ପା ଯେହ୍ନେ,
ନିଷ୍କପଟି ଦୁଇ ନୟନ ହୃଦୟ ମୋର ଜିଣେ ।
ରୂପରେ ତୋର ସରିକି ହେବ କାଉଁରୀ ଜେମାମଣି,
ନିଷ୍କଳଙ୍କ ହୃଦୟ ତୋର ପାବନୀ ମନ୍ଦାକିନୀ ।
ଗ୍ରୀଷ୍ମ ପ୍ରାୟେ ଉଷ୍ଣ ଶ୍ୱାସେ ଶିହରି ଉଠେ ପ୍ରାଣ,
ମଳୟ ସମ ମର୍ମଛୁଏଁ, ତୋ'କୋମଳ ଆଲିଙ୍ଗନ ।
ବସନ୍ତର ବାସ୍ନା ମୋହେ ତିକ୍ତ ବନରାଜି,
ପାହାଡିକନ୍ୟା ଗାଉଛି ଅବା ପ୍ରେମର ଗୀତ ଆଜି ।