ଅସ୍ତିତ୍ୱ
ଅସ୍ତିତ୍ୱ
ଅନେକ ଥର ଭାବିଛି
ଭାବିବା ଭିତରେ ଅନେକ ଥର ହଜିଛି
ଆଉ ସେଇ ହଜିବା ଭିତରେ
ନିଜ ଅସ୍ତିତ୍ୱକୁ ମୁଁ ଖୋଜିଛି
ନିଜକୁ ଟିକନିଖ କରି ପରୀକ୍ଷା କରିଛି
ଠିକ ବିଜ୍ଞାନଗାରର ଗୋଟେ ବସ୍ତୁ ପରି
ମୋ ମନ ,ବିବେକ ଆଉ ବୁଦ୍ଧି ସବୁକୁ ଏକାଠି କରି
ତନ୍ନତନ୍ନ କରି ଅଣ୍ଡାଳିଛି
ମୋ ଭିତର ଆଉ ମୋ ବାହର ସବୁକୁ
ଚେତନାର ଅଣୁବୀକ୍ଷଣ ଯନ୍ତ୍ରରେ
ଅତୀତ ,ବର୍ତ୍ତମାନ ଆଉ ଭବିଷ୍ୟତର
ପ୍ରତିଟି ମୁହୂର୍ତ୍ତକୁ ଗୋଟେ ପରେ ଗୋଟେ
ତଥାପି ଖୋଜି ପାଇନି ମୋ ପରିଚୟ ।
ପାଇଛି ତ ସବୁରି ଶେଷରେ
ଗୋଟେ ନିରୀହ ଅସହାୟ ମଣିଷକୁ
ଯାହାର ନିଜର ବୋଲି କିଛି ନ ଥିଲା
ଯାହାର ଅସ୍ତିତ୍ୱ ବୋଲି କିଛି ନ ଥିଲା
ନା ଥିଲା ତାର ସାମର୍ଥ୍ୟ
କିଛି କରିବାକୁ ।
ଥିଲା ତ କେବଳ
ପଞ୍ଚଭୂତର ଗୋଟେ ଅସହାୟ ଶରୀର
ରୂପ ଆଉ ଲାବଣ୍ୟର ଟିକିଏ ମହକ
ବୁଦ୍ଧି ଆଉ ବିବେକର ଟିକିଏ ବହପ
ତା'ରି ସାଥିକୁ ଗୋଟେ ଛନଛନିଆ ମନ
ଆୟୁଷ ଯା'ର ସ୍ଥିରୀକୃତ
ଲୀନ ହେବାକୁ ସେଇ ପଞ୍ଚ ମହାଭୂତେ
ଯେମିତି ଶୂନ୍ୟରେ ଆସିଥିଲା
ଠିକ ସେମିତି ଫେରିଯିବାକୁ ଶୂନ୍ୟରେ
ସବୁ କିଛିକୁ ତ୍ୟାଗ କରି
ଦରପୋଡ଼ା ଶ୍ମଶାନ ଭୁଇଁରେ
ସାଜି ଯାଇ ମୁଠାଏ ପାଉଁଶ ।