କୁନ୍ଦୁଲି ପୀଡିତାର ଆତ୍ମାକୁ ବୋଧ
କୁନ୍ଦୁଲି ପୀଡିତାର ଆତ୍ମାକୁ ବୋଧ
ଜବାବ ଖୋଜୁଛି କୁନ୍ଦୁଲି ପୀଡିତା ଛୋଟ ଝିଅଟିଏ ମୁହିଁ
ଗୁହାରି କଲି ମୁଁ ଛାଡିଦିଅ ତୁମ ମା ଭଉଣୀ କି ନାହିଁ !
ସର୍କାର ଦେଉନି ସୁରକ୍ଷା କାହିଁକି କଲି ମୁହିଁ ଆତ୍ମହତ୍ୟା
ବିରୋଧୀ କହନ୍ତି ନିଜେ ସରକାର କରିଛି ତାହାକୁ ହତ୍ୟା ।
କମିଶନ ବସେ ଦିନ ଗଡିଯାଏ କମେ ନାହିଁ ଉତ୍ପୀଡନ
ନଦୀରେ ହଜାଇ ସରରେ ଖୋଜିଲେ ମିଳିବ କି ସମାଧାନ !
ଧନ ମଦ କ୍ଷମତାର ମଦ ପୁଣି ମଦିରା ପାନର ମଦ
ଦ୍ରୌପଦୀକୁ ଯିଏ ବିବସନା କଲା ବିବେକ ଶୁଂଘାଇ ଗଦ ।
ସୀତା ହରଣ ବି ରାବଣ କରିଲା ଗର୍ବେ ମଦମତ୍ତ ହୋଇ
ଛବିରାଣୀ ଠାରୁ ଅଂଜନା ଈତିଶ୍ରୀ ନିର୍ଭୟା ସୁଶ୍ମିତା ରାଇ ।
ଶିକ୍ଷକ କରୁଛି ଛାତ୍ରୀ ଉତ୍ପୀଡନ ହାକିମ ଅଧସ୍ତନକୁ
ଗୃହସ୍ୱାମୀ କରେ ସେବିକା ପୀଡନ ଗାରିମା ଦେଖାଇବାକୁ ।
ବାବାମାନେ ଯଦି କୁକର୍ମ କରିବେ ଅନୁଷ୍ଠାନରେ କଳଙ୍କ
ସମାଜ ବ୍ୟବସ୍ଥା ବିଗିଡି ଗଲାଣି ଲାଗି ଗଲାଣି ବା ଜଙ୍କ ।
ମଦିରା ରାକ୍ଷସ ମୂଳମନ୍ତ୍ର ସବୁ କୁକର୍ମର ଅଟେ ମୂଳ
ମୂଳ ଉତ୍ପାଟନ ନ କରି ଖୋଜିବା ପତ୍ର ଫୁଲ ଫଳ ଡାଳ !
ଶପଥ କରିବା ମଦ ରାକ୍ଷସକୁ ନଗ୍ନତା ବିରୋଧ କରି
ଅସଂଯମ ଆଚରଣ ସମାଜରେ ବିରୋଧଟି ଥାଉ ଜାରି ।
ଝିଅମାନେ ଅତ୍ମରକ୍ଷା ପାରଂଗମ ହୁଅନ୍ତୁ ନ କରି ଡେରି
ଆଶାବାଦୀ ହେବା ରାମରାଜ୍ୟ ଆସୁ ରାବଣ ସଂହାର କରି ।