ଜୀବନର ମାନଦଣ୍ଡ
ଜୀବନର ମାନଦଣ୍ଡ
କୋଟି ଜୀବଜନ୍ତୁ କୀଟ ତରୁ ତୃଣ ମଧ୍ୟେ ବିଚାରେ
ମଣିଷ ଜନମ ଦୁର୍ଲ୍ଲଭ ଅଟଇ ଏଇ ସଂସାରେ।
ଦେବ କି ଗନ୍ଧର୍ବ ସଭିଏଁ ଝୁରନ୍ତି ନର ଶରୀର
ଅସାଧ୍ୟ ସାଧନ ହେଳେ କରିପାରେ କେବଳ ନର ।
ସ୍ନେହ ପ୍ରେମ ଦୟା କ୍ଷମା ତପ ଦାନ ଧ୍ୟାନ ଧାରଣା
ମାନବ ଜନମେ ସମ୍ଭବ ହୁଅଇ ଅବଧାରଣା ।
ଜନମ ଦିବସ ଚେତାଏ ଆମକୁ ଅମୂଲ୍ୟ ବାଣୀ
କାଳ ସର୍ପ ଧୀରେ ଟାଣୁଛି ତାହାର ଗରଭେ ଜାଣି।
ଜନମ ମରଣ ଗୋଟିଏ ମୁଦ୍ରାର ଦୁଇ ପାରୁଶ
ବଢିଲେ ବୟସ ପରିଣତି ତା'ର କମେ ଆୟୁଷ ।
କାଲି ପାଇଁ ଯାହା ଭାବନା ମନରେ କରିବା ଆଜି
କିଏ ଜାଣେ କାଲି ଝାମ୍ପି ନେଇଯିବ ମରଣ ପାଜି ।
ପର ଉପକାର ସରଗ ନିଶୁଣି ପ୍ରାୟେ ବିଚାର
ପରିଚୟ ଆମ ଯେଉଁ ନାମେ ତାକୁ କର ଅମର ।
ଜନମ ବେଳରେ ସଭିଏଁ ଆନନ୍ଦ କାନ୍ଦଇ ଶିଶୁ
କରମ ଏପରି କରିଯିବା ସାରା ଜଗତେ ଦିଶୁ।
ମରଣ ବେଳାରେ ଅଧର ବିମ୍ବରେ ହସ ପସରା
ନେଇ ଚାଲିଯିବା ଲୁହ ଢାଳୁଥିବେ ଜଗତ ସାରା ।
ବିଶ୍ୱେଶ୍ୱର ମାଝୀ