ଗାଁ
ଗାଁ
କମଳାକାନ୍ତ ପଣ୍ଡା
ଜଡସଡ଼େଇ ରହିଚି ବୋଲି ତ
ଦୁହେଁ କୁରୁଳୁଚୁ ଥାନ-ଅଥାନ
ଦୁଃଖ-ସୁଖରେ l
ବେଳେବେଳେ ଭୁଲି ଯାଉଚି
ଏଇଥିପାଇଁ ଯେ
ବାଳୁତ ବୟସରେ ଛଡେଇ ନେଇଛି
ବାପା-ମା ,ଭାଉଜ
ଓ ଏବେଏବେ ବଡଭାଇନାଙ୍କୁ l
ଶୁଣିଛି,ମୋ ଜନ୍ମପୂର୍ବରୁ
ଝାମ୍ପିନେଇଛି ଶ୍ମଶାନକୁ
ଦେଖିନଥିବା ଭାଇ-ଭଉଣୀଙ୍କୁ l
ବୁଝିହେଉନି କେଉଁ ଲାଭରେ
ତଡିଦେଇ କରିଛି ଜିଲ୍ଲାନ୍ତରୀ !
ଏବେ ବି ଗାଁ’କୁ ଯାଏ l କିନ୍ତୁ ଶୁଭେନି
ରାଢିଘରର ଢିଙ୍କି ପାହାର
କି ଦିଶେନି କଣ୍ଡା ଯାଉଥିବା ରଗଡା ମୁଗ l
ଢିଙ୍କି ପୂଜା ବି ନାଇଁ ପର୍ବପର୍ବାଣିରେ
ଶ୍ରମ ଲାଘବ ପାଇଁ
କୁତତୁଣୀ ଗୀତର ଲହର
ସାତସପନ l
ଖଇଭଜାର ଭଡଭଡ
ଭୁଜାର ଚଡ଼ଚଡ଼,
ଚମ୍ପାଗଛକୁ ପ୍ରେତିନୀର ଆତଯାତ ବୋଲି
ଯେଉଁ ଅଭିବାଦ କି ଗୁଜବ,ଉଭାନ l
ଜେଜେ ଲଗେଇଥିବା ପୁକତାନିଆ ଆମ୍ବଗଛ
ବାପା କରେଇଥିବା ଓସ୍ତ-ବରଗଛର
ବାହାଘର ଏବେ ପୁରାଣ l
ଓହଳ ଓ ଡାଳ ସତେ ଯେମିତି
ପହଁରଉଥାଏ ମାଟି ଆଉ ମୂଳ
କିନ୍ତୁ ଘେଜେବେଜେ l
ଏବେ ଗାଁରେ ତାସ ଖେଳ
ଫିସାଦୀର ଡେଣା ନାଲିପାଣିର ପ୍ରାବଲ୍ୟ,
ସକାଳ କୁକୁଡାର ଡାକ ବଦଳରେ
୪୦୭ ଟ୍ରକ-ଡାଲାରେ ବ୍ରଏଲର ଆର୍ତ୍ତଚିତ୍କାର !
ଗାଁକୁ ଗଲେ ଗଙ୍ଗଶିଉଳି ପରି କୁଢେଇପଡ଼େ ପିଲାଦିନ
ଏକ ଗୋଡିଆ ଖେଳ ଚିତ୍ ପହଁରା ଆମ୍ବଚୋରି...
ମେଣ୍ଟେଇହେବାରେ ଆମେ ଥିଲୁ ଅଭ୍ୟସ୍ତ
ଏଠି ଅଭିଲାଭଲା ବୋଲି
ନିଜନିଜ ଘରେ ବନ୍ଦୀ
ସ୍ପୀତ ବଡିମାରେ l
ଗାଁକୁ ଗଲେ ଘିରିଘିରି ଖେଳନ୍ତି ଏସବୁ
ମୋ ଚାରିପଖରେ ଅଥଚ ମୁଁ ଛୁଇଁ ପାରେନି l
ଅଭିରଙ୍ଗୀ ଗାଁ କିନ୍ତୁ ୬୯ ବର୍ଷର ପ୍ରଲମ୍ବିତ ଜୀବନକୁ
ସାଉଁଳୁଥାଏ ତ ସାଉଁଳୁଥାଏ l
ବେଳେବେଳେ ଦ୍ଵନ୍ଦର ଚକ୍ରଭ୍ୟୁ ଘେରେ
ଲାଗେ, ସେ ଗାଁ ‘ ବଇଁଚା ‘
ତା’ ଆତ୍ମା କ’ଣ ମୋତେ ଭୁଲି
ଛପି ଯାଇଛି ଅନ୍ୟ କୁଆଡ଼େ ?