ହାଏରେ ମୋ’ ପାୱାର ଚଷମା -୧୦
ହାଏରେ ମୋ’ ପାୱାର ଚଷମା -୧୦
କାର୍ତ୍ତିକ ମାସର ଶୀତ କାକର,
ଭିଡ଼ ପୁଣି ସେଇ ଡଙ୍ଗା ତୁଠର,
ପୁରୁଷ କେହି ତ ଦିଶନ୍ତି ନାହିଁ,
ମାଇପି ଗହଳି ପୁନେଇଁ ପାଇଁ ।
ସାଲଟିଏ ଦେହେ ହୋଇ ସେ ଘୋଡ଼ି,
ପିନ୍ଧି ଆସିଛନ୍ତି ଓଡ଼ିଆ ଶାଢୀ,
ଖୁସିରେ ଭାସାଉ ଅଛନ୍ତି ଡଙ୍ଗା,
ଝୁଲି ଚାଲଇ କଦଳୀ ବାହୁଙ୍ଗା ।
କ୍ଷୀଣ ଆଲୁଅରେ ସବୁରି ମୁହଁ,
ଦିଶେ ଏକା ଭଳି ନାହିଁ ସନ୍ଦେହ,
ସାହିର ସେଇ ତ ରୂପା ମାଉସୀ,
ପଥର ଉପରେ ବସିଛି ଆସି ।
ଗୋରା ସେଇ ଦେହ, ପାଟ ସେ ନେଳି,
ମଥାରେ ସିନ୍ଦୁର, ଅଳତା ନାଲି,
“ସକାଳୁ ଆସିଛ ମାଉସୀ ମୋର,
ଘେନ ହେ ମାଉସୀ ମୋର ଜୁହାର” ।
ହଇରେ ବେହିଆ ନାହିଁ ତୋ ଆଖି,
ସକାଳ ପହରୁ ସୁନ୍ଦରୀ ଦେଖି,
ଆଗ ପଛ ତୁ ନ କରି ବିଚାର,
ଜାଣି ନାହୁଁ କି ରେ ବୋହୁ ସେ ମୋର।
ବୁଢାଟିଏ ହେଇ କହୁ ମାଉସୀ,
କାହୁଁ ମୋ’ କବଳୁ ଯିବୁରେ ଖସି,
ମାଇପିଏ ସବୁ ଆସ ସହଳ,
ଭାଙ୍ଗି ଦିଅ ଏଇ ବୁଢାର ଗେଲ ।
ମୁନ୍ନା ମହାପାତ୍ର, ଗୁଣପୁର