ମୁର୍ଛିତ ଜନ୍ମମାଟି
ମୁର୍ଛିତ ଜନ୍ମମାଟି
ପଦ୍ମାଳୟା ମିଶ୍ର
ବୟସ ଖସିଲା ମନେ ପଡିଗଲା
ମତେ ମୋର ଜନ୍ମମାଟି
ଦୀର୍ଘ ବନବାସ ହୋଇଗଲା ଶେଷ
ଦିଶିଲା ମା'ର କୋଳଟି ।
ହରଷ ଚିତ୍ତରେ ଅତି ଆନନ୍ଦରେ
ପାଦ ଦେଲି ଗାଁ ମାଟିରେ
ଆଶ୍ଚର୍ଯ୍ୟ ହୋଇଲି ଚିନ୍ତାରେ ପଡିଲି
ଆସିଛି କେଉଁ ପଥରେ ?
ସହର ସୁବାସେ ମନ୍ଦ ମନ୍ଦ ହସେ
ଗ୍ରାମେ ହୁଏ ରୀତିନୀତି
ଆପଣାର ଭାବ ଗ୍ରାମର ବିଭବ
ଛାଡି ଚାଲେ ରାଜନୀତି ।
ଉଚ୍ଚ ଅଟାଳିକା କରିଦିଏ ବୋକା
ମଦର ନଦୀ ବହୁଛି
ଭାଗବତ ଟୁଙ୍ଗି ଯାଇଅଛି ଭାଙ୍ଗି
ଡିଜେ ନାଚ ଚାଲୁଅଛି ।
ମନ ମରିଗଲା କୋହ ବି ଉଠିଲା
ଫେରିଯିବି କଲି ସ୍ଥିର
ପଛରୁ ଡାକିଲା ନାମ ଉଚ୍ଚାରିଲା
ଲାଗିଲା ମୋ ଆପଣାର ।
ସୁନେଲି ବସନ କରି ପରିଧାନ
ବୃଦ୍ଧା ଜଣେ ହେଲେ ଉଭା
ସୁନ୍ଦର ମାର୍ଜିତ ତଥାପି ମୁର୍ଚ୍ଛିତ
ପରାଏ ମଉଳି ଶୋଭା ।
କହିଲେ ବାପାରେ ଫେରିଲୁ କହରେ
କାହିଁକି ଏବେ ମୋ କୋଳେ
ଯୁବକ ବୟସେ ମୋ ପଣତ ବାସେ
ରହି ନପାରିଲୁ ଚାଳେ ।
ତୁ ଗଲୁ ଯେମିତି ଅନେକ ବି ସେମିତି
ମୋ ପଣତୁ ହେଲେ ଦୂର
ଯେତିକି ରହିଲେ ସହର ଆଣିଲେ
ମୋ ଠାରେ ହେଲି ମୁଁ ପର ।
ମୂର୍ଚ୍ଛିତ ଶରୀରେ ସନ୍ତାନ ବିହରେ
ଆତ୍ମା ତ ଯାଇଛି ମରି
ତଥାପି ପଣତ ମେଲାଇ ରହିତ
ସ୍ନେହ ମୋ ଯାଇନି ସରି ।।
......