ବୃଦ୍ଧା ଉଠିଲା ନାହିଁ
ବୃଦ୍ଧା ଉଠିଲା ନାହିଁ
ଥିଲା ସେ ପଉଷ
ହାଡଭଙ୍ଗା ଶୀତ ରାତି ।
ଖଣ୍ଡିଆ ମସିଣା ଅର୍ଦ୍ଧେକରେ ଶୋଇ
ଆଉ ଅର୍ଦ୍ଧେକକୁ ଘୋଡେଇ ଥିଲା ତା
ଜୀର୍ଣ୍ଣ ଦେହ ମୁଣ୍ଡ ଛାତି ॥
ଜୀବନର ପଥେ ଚାଲିବା ପାଇଁ କି
ଧରିଥିଲା ଯାର ହାତ ।
ଅଧା ବାଟରେ ସେ ହାତ ଛାଡି ଦେଇ
ହୋଇଗଲା ଦିବଂଗତ ॥
ପଞ୍ଚ ପୁତ୍ରର ଜନନୀ ବୋଲି ସେ
କରୁଥିଲା ମନେ ଗର୍ବ ।
ହେଲେ ଅସହାୟା ନିସଙ୍ଗ ସେ ଆଜି
ହଜାଇଛି ସବୁ ଦମ୍ଭ ॥
ଜୀବନ ଯାତ୍ରାର ଅନ୍ତିମ ପାହାଚେ
ବୃଦ୍ଧା ଥିଲା ଉପନୀତ ।
ଥରିଲା କଣ୍ଠୁ ତା ଶୁଭୁଥିଲା କିଛି
ଗୁଣୁ ଗୁଣୁ ସ୍ୱର ଅବୁଝା ଆଉ ଅସ୍ପଷ୍ଟ ॥
ଭାବୁଥିଲା ବୃଦ୍ଧା ରାତିଟା କିପରି
ଶୀଘ୍ର ଯାଆନ୍ତା ପାହି ।
ସକାଳ ସୂରୁଜ କିରଣରେ
ଶୋଇ ଯାଆନ୍ତା ପିଠି ଦେଖାଇ ॥
ରାତିର ବାକିଆ ନିଦଟାକୁ ପୁରା
କରନ୍ତା ଖରାରେ ଶୋଇ।
ସକାଳ ଆସିଲା ସୂରୁଜ ଉଠିଲା
ବୃଦ୍ଧା ଉଠିଲା ନାହିଁ ॥
********