ମୋ ଗାଁ
ମୋ ଗାଁ
ମୋ ଗାଁ
ଏଇ ଦେଖ ! ଯେଉଁ ଲମ୍ବି ଯାଇଛି
ଶଗଡ ସରି ଦଣ୍ଡା ଦାଢେ ଦାଢେ
ଠିକ ତା ଶେଷ ମୁଣ୍ଡରେ
ଯେଉଁ ବୁଢା ବରଗଛ ମଶାଣୀକୁ ଲାଗି
ସେଇଠୁ ଆରମ୍ଭ
ମୋ ଗାଁର ମାହୋଲ ।
ତା' ଆଗକୁ ଦେଖିବ ଖଜୁରୀ ଗଛର ବୁଦା
ତା' ଉପରେ ମାଡି ବସିଥିବ
ଅନାବନା ଅରମା ଲଟା, ତଳେ ଭଙ୍ଗାକାଚର ଗଦା
ପିଶାଚୁଣୀର ଭଙ୍ଗା ପଣାହାଣ୍ଡି
ମୋ ଗାଁ ଅନ୍ତୁଡି ବୁଦାରେ
ଯେଉଁଠୁ ଆରମ୍ଭ ହୁଏ ଆତ୍ମୀୟତା, ଭୟ
ପୂର୍ବପୁରୁଷର ସ୍ମୃତି ସହ ।
ତା' ପରେ ଦେଖିବ ମୋ ଗାଁ ପୋଖରୀ;
ଯେଉଁଠି ଗାଧୋଉଥିବ ମୋ ଗାଁର କୁଆଁରୀ ମେଳି ହୋଇ,
କେଉଁ ରଜାପୁଅର ସୁନ୍ଦର କଳ୍ପନାରେ,
ବାଣ୍ଟି କୁଣ୍ଟି ହସ, ଥଟ୍ଟାରେ ମଜାରେ
କେତେ ଟାହି ଟାପରାରେ ।
ଆର ତୁଠରେ ଥିବେ ପୁରୁଖା ମୁରବୀ;
ଚାଲିଥିବ କେତେ ଆଲୋଚନା, ପର୍ଜ୍ୟାଲୋଚନା
ଧାନ କ୍ଷେତରୁ ଯୁଦ୍ଧକ୍ଷେତ୍ର ଯାଏ ।
ସେଇ ପୋଖରୀକୁ ଲାଗି
ଦେଖିବ ବୁଢା ଅଶ୍ଵତଥ ଗଛ
ତା' ତଳେ ବସିଛି ମୋ ଗାଁର ତ୍ରାଣକର୍ତ୍ତା,
ଗାଦି ମହାପୁର;
ସେଇ ଦରଭଙ୍ଗା ନୂଆଣିଆ ମଣ୍ଡେଇର ତଳେ
ଟେକି ଦେଇ ଆଶ୍ରିର୍ବାଦର ହାତ
ଯେମିତି ସେମିତି ବସିଛି
ପିଢି ସରି ପିଢି
କେଜାଣି କେଉଁ ସୃଷ୍ଟିର ଆଦ୍ୟକାଳୁ ।
ମୋ ଗୋସେଇଁର ଘରଠାରୁ
ଲମ୍ବିଯାଇଥିବ ଦାଣ୍ଡି ଦାଣ୍ଡି ନୂଆଣିଆ ଚାଳଘର,
ଲଗାଲଗି ହୋଇ ଓଳି ସହ ଓଳି ;
ଠିକ ଯେମିତି,
ମୋ ଗାଁରେ ଲଗାଲଗି ସମ୍ପର୍କ
ରକ୍ତରେ, ଚନ୍ଦ୍ରରେ, ସୂର୍ଯ୍ୟରେ ।
ସେଇଠି ପରଖିବ ଆତ୍ମୀୟତା ,
ସମ୍ପତ୍ତିର ତୁଚ୍ଛପଣ;
ଯାହାକୁ କେବେ କିଣି ପାରିବନି
ମୁଠା ମୁଠା ଟଙ୍କା ବଦଳରେ
ତମ ସହରରେ ।
ଏବେ କିନ୍ତୁ ବଦଳୁଛି ଗାଁ
ଯେଉଁଠି ଆତ୍ମୀୟତା
ବୋଧେ ପଡିଯାଏ ଫିକା
ସମ୍ପର୍କ ଉପରେ ମାଡି ମାଡି ବସେ
ସ୍ଵାର୍ଥ ଆଉ ସ୍ଵେଚ୍ଛାଚାର
ଭଣ ଭଣ ଟଙ୍କା ଗନ୍ଧରେ
ଲିଭି ଲିଭି ଆସେ ନିଜପଣ ସମ୍ପର୍କରେ ,
ଠିକ କେବେଠୁ ଲିଭିଯାଇଥିବା
ପାଦଚଲା ଶଗଡ ସରି ପରି ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,
କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା