ଯିବି ପୁଣି ତୋ'ରି ଇସାରାରେ
ଯିବି ପୁଣି ତୋ'ରି ଇସାରାରେ
ସ୍ନିଗ୍ଧତାର
ଚାରୁ ବେଳା ଭୂମି
ହାତ ଠାରି ଡାକେ
ସ୍ୱର୍ଗ ଦ୍ଵାରେ
ଲୀନ ହେବ ପାଇଁ ।
କେମିତି ଯିବି ଲୋ ଭୂମି !
ଅଛି ପରା କେତେ କାମ,
କେତେ ଯେ କଳ୍ପନା,
ନିଭେଇବି ମୋ' ମୃତ୍ୟୁ ଆଗରୁ
ନିଜ ପାଇଁ ନୁହେଁ,
ତୋ'ପାଇଁ ,
ତୋ'ରି ଶାବକଙ୍କ ପାଇଁ !
ନେଇ କି ପାରିବୁ ମୋତେ,
ତୋ'କୋଳକୁ !
ମୋର ଆସନ୍ନ ମୃତ୍ୟୁ ଆଗରୁ ??
ପାରୁଛୁ ଯେବେ ତୁ,
ନେଇଯାଅ ମୋତେ ।
କିନ୍ତୁ,ମନେ ରଖ !
ହେବୁ ଅଭିଶପ୍ତ ।
ଭୂମି ଲୋ !
ତୁ ପରା ବସୁଧା !
ତୁ ପରା ମୋ' ପ୍ରଥମ ଜନନୀ !
ଲକ୍ଷେ ଥର ମନ୍ଦିରକୁ ଯାଇ
ମାଗିଥିଲୁ ବରଦାନ,
ମୋତେ ଗର୍ଭେ ଧରିବାକୁ ।
କେତେ କେତେ ଗଞ୍ଜଣା ସହିଛୁ ।
ଦେବୁ କି ହିସାବ ! ! !
ପାରିବୁନି ,
ଦୁଃଖକୁ ତ ଭୁଲି ଯାଉ ତୁହି ,
ସୁଖ ସବୁ ବାଣ୍ଟି ବାଣ୍ଟି
କ୍ଲାନ୍ତ ଶ୍ରାନ୍ତ ପଥର କଙ୍କର ।
ଏତେ କଷ୍ଟ କଲୁ ମୋତେ
ବଞ୍ଚେଇବା ପାଇଁ ।
ଦେ ସମୟ,ଆଉ କିଛି ମାତ୍ର ।
ଭୁମି ଲୋ !
ତୁ ବସୁଧା !
ତୁ ପୁଣି ଜନନୀ ! !
ତୁ ସ୍ଵର୍ଗ ଧାମ,
ପୁଣି ତୁ, ସାଜିଅଛୁ
ମୋ'ପାଇଁ କି ଶୁଦ୍ଧ ସ୍ଵର୍ଗଦ୍ଵାର ! ! !
ଡାକ ନା ମୋତେ
ଏତେ ଶୀଘ୍ର,ଏତେଟା ଆଗରୁ,
ଶାବକଙ୍କୁ ସୁରକ୍ଷିତ କରେ,
ବନ୍ଧୁଙ୍କର ଇଚ୍ଛା ପୁରା କରେ,
ପରିବାର ଜନେ,
ଦେଇ ସାରେ ତାଙ୍କ ସବୁ ଦାବୀ ।
ତୋ'ଗର୍ଭର ଋଣ ସବୁ
ଫେରାଇବା ପ୍ରୟାସ କରୁଛି ।
ଦେ କିଛି ସମୟ ।
ନୁହେଁ ମୁଁ ସେଇ ସତ୍ୟବାନ,
ନାହିଁ ମୋର ପୁଣ୍ୟର ସାବିତ୍ରୀ,
ତୁ ବି ନୋହୁ ଯମରାଜ ।
କୁହ ତ ତା'ହେଲେ,
କିଏ ବା କାହାକୁ,
ମାଗିନେବ ମୋ'ଜୀବନ ଭିକ୍ଷା !
ସତ୍ୟ,ଶିବ,ସୁନ୍ଦରର
ତୁ ସାକ୍ଷାତ ସାକ୍ଷୀ,
ପୁଣ୍ୟ ସ୍ୱର୍ଗ ଦ୍ୱାର,
ଥମି ଯାଅ, ରହି ଯାଅ
କିଛିଟା ମୁହୂର୍ତ୍ତ,
ସବୁ ଜଞ୍ଜାଳକୁ ମୋର
ଜୀବନ୍ୟାସ ଦେଇ ତ ପାରୁନି,
ଜାଳି ଦିଏ ତୋ'ପୁଣ୍ୟ ଚିତାରେ ।
ତା'ପରେ ମୁଁ
ନେବି ଲୋ ସମାଧି,
ତୋ'ବକ୍ଷରେ,
ତୋ'ଚାରୁ ଗର୍ଭରେ ।
ଆସିଥିଲି ତୋ'ରି ଡ଼ାକରାରେ ।
ଯିବି ପୁଣି ତୋ'ରି ଇସାରାରେ ।