ସଂସାର ସନ୍ନ୍ୟାସୀ
ସଂସାର ସନ୍ନ୍ୟାସୀ
ତୃପ୍ତି ପଣ୍ଡା
ଭାବନାରେ ହଜିବାକୁ ଭଲଲାଗେ ନାହିଁ
ସପନରେ ଭିଜିବାକୁ ଭଲଲାଗେ ନାହିଁ
ଜୀବନ ନୁହଁଇ ଏଠି ଫୁଲର ମହଲ
ବାସ୍ତବ ଦୁନିଆଁରେ ବର୍ତ୍ତମାନରେ ଜୀଇଁ ଚାଲ ।
ଅତୀତ ଫେରିଗଲା ମୁହଁକୁ ଶୁଖାଇ
ଭବିଷ୍ୟତ ମୁରୁକି ହସେ ଦାନ୍ତକୁ ଦେଖାଇ
ସାଙ୍ଗସାଥୀ ବାପ ଭାଇ ମା’ ଓ ଭଉଣୀ
ପୁଅ ଝିଅ ନ ଯିବେରେ ଏକା ଏକା ମୁହିଁ
ଜନମିଛି ମାଟି ରେ ବିଲୀନ ମାଟିରେ
ମୁଠାଏ ପାଉଁଶ ରଖି ମାଠିଆ ଭିତରେ
ସ୍ମୃତି ମୋର ସେଇତକ ସମ୍ପତ୍ତି ହୋଇବ
ମିଛ ମିଛ ଦୁନିଆଁରୁ ବିଦାୟ ମିଳିବ ।
ଦୁର୍ଲ୍ଲଭ ମାନବ ଜନ୍ମ ଯଦି ମିଳିଛି ଆମକୁ
ସଂସାରର ବନ୍ଧନରେ ଛନ୍ଦି ହୋଇବାକୁ
କର୍ମ ପୁଣି କର୍ତ୍ତବ୍ୟ ତ ନିଶ୍ଚିନ୍ତ କରିବା
ଏ ଜନ୍ମର ସାର୍ଥକତା ନିଶ୍ଚିନ୍ତ ରଖିବା
ସଂସାରରେ ରହି ପୁଣି ହୋଇବା ସନ୍ନ୍ୟାସୀ
ଦିବାନିଶି ହୃଦୟରେ ହରିନାମ ଜପି
ହାତ ଗୋଡ଼ ଚାଲୁଥାଉ ମୁଖ ଜପୁ ନାମ
ତାହେଲେ ସାର୍ଥକ ହେବ ଏ ମାନବ ଜନ୍ମ ।।