ଉଡାଣ
ଉଡାଣ
କାମନାର ହଳାହଳ ବିଷ ପିଇ
ସାଜିଛି ମୁଁ ନିର୍ବାଣର ନୀଳକଣ୍ଠ ,
ତଥାପି ମୋ ଅଭ୍ୟନ୍ତରେ
ଅନ୍ତ ନ ଥିବା ଅନ୍ତରରେ
ଅପ୍ରର୍ଯ୍ୟାପ୍ତ ସାଗରର ଶୋଷ ।
କାହିଁକି ଉଜାଡିଥାନ୍ତି -
ଉପଭୋଗ୍ୟ ଉଲ୍ଲାସର
ଉଦ୍ଭାସିତ ଜୀବନ ମଧ୍ୟାହ୍ନ
ଅୟସର ମୁଗ୍ଧ ଫୁଲବନ ,
ଉଦବିଗ୍ନ ରେ କାଟିଥାନ୍ତି
ମୋ ଦିନ ---
ଫେନ୍ ନିଭ ଉତ୍ତାଳ ଯୌବନ !!
ମୋ ଆଖିରେ ମେଞ୍ଚାଏ ସ୍ବପ୍ନ
ସୀମାହୀନ ଆକାଶର
ଉଦ୍ଦୀପିତ ତାରାପୁଞ୍ଜ
ଅନାକାଂକ୍ଷିତ ଅନନ୍ତ ଉଡାଣ ,
ଲକ୍ଷ୍ୟ ହୀନ ଚଲାପଥେ ମୋର
ଅସମାହିତ ଆଗ୍ନେୟର
କ୍ଷିପ୍ର ଉଦଗୀରଣ ।।
ମୁଁ କି ' ମୋ ପ୍ରେମକୁ ବଂଧା ଦେଇ
ଫେରିଥାନ୍ତି ଶ୍ରମଣର ପର୍ଣ୍ଣକୁଟୀରରୁ
ବ୍ୟଥାତୁର ବିମର୍ଷିତ
ନିଃସ୍ବ ଏକ ବିଧୁର ଜୀବନ !!
କାମନାର ବିନାଶରେ
ଦୁଃଖ ଘୁଞ୍ଚି ପାରେ
ଉଇଁ ପାରେ ନିର୍ବାଣର ସୂର୍ଯ୍ୟ
ସେ ନିର୍ବାଣ ଲୋଡା ନାହିଁ ମୋର
ହୋଇଥାଉ ଯେତେ ଆକାଂକ୍ଷିତ ,
ଉଡାଣ ମୋ କାମନାର ବ୍ୟାପ୍ତି
ବୈରାଗ୍ୟ ମୋ ଛାତି ତଳ ପାପ ।।
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡା