ଲାଉ ଧୁଡୁକୀ
ଲାଉ ଧୁଡୁକୀ
ଶ୍ରୀ ଶେଷ ଭୁଷଣ ଆଚାର୍ଯ୍ୟ
ଜଙ୍ଗଲ ମୁଣ୍ଡରେ ଗୋଟିଏ ବୁଢ଼ୀ,
ରହୁଥିଲା ଘର ଦ୍ୱାର ସଜାଡ଼ି,
କାମ କରି କରି ହୋଇଲା ଥକା,
ବାପଘର ଯିବ ଖୋଜେ ମଉକା ।
ଜଙ୍ଗଲ ସେପାରେ ତା ବାପ ଘର,
ଜଙ୍ଗଲଟି ବଣ ଜନ୍ତୁରେ ପୁର,
ଇଷ୍ଟଦେବତାଙ୍କୁ ସ୍ମରଣ କରି,
ପୁଟୁଳିଟେ ଧରି ଗଲା ବାହାରି ।
ପାଦଟେ ପଶିଛି ବଣ ଭିତର,
ଭୋକିଲା ହେଟାଟେ ଆଗେ ହାଜର,
କହିଲା ରେ ବୁଢ଼ୀଖାଇବି ତୋତେ,
ବଡ଼ଭୋକ ଏବେ ଲାଗୁଛି ମୋତେ ।
ବୁଢ଼ୀ କହେ ଦେଖ ମୁଁ ହାଡ଼ଚମ,
ରକତ ମାଉଁସ ମୋ ଦେହେ କମ,
ଫେରେ ବାପଘରୁ ହୋଇ ମୁଁ ମୋଟା,
ଖୁସିରେ ଗିଳିବ ମୋତେ ଯେ ଗୋଟା ।
ହେଟା କହେ ହଉ ରହିଲି ଜଗି,
ଫେରିଲା ବେଳକୁ ନ ଯିବୁ ଭାଗି,
ଦୀର୍ଘ ନିଶ୍ୱାସ ଟେ ବୁଢ଼ୀ ପକାଏ,
ପାହୁଣ୍ଡେ ପାହୁଣ୍ଡେ ଆଗକୁ ଯାଏ ।
ଯାଇଛି କି ନାହିଁ ଦଶ ପାହୁଣ୍ଡ,
ଘାସ ବଣୁ ଦିଶେ ବାଘର ମୁଣ୍ଡ,
ବାଘମାମୁଁ କହେ ହଲାଇ ଜିଭ,
ଯାହା ହେଉ ମୋର ଭୋକ ମେଣ୍ଟିବ ।
ବୁଢ଼ୀ କହେ ମୁଁ ଯେ କଙ୍କାଳ ସାର,
ବୁଲି ବାହାରିଛି ମୋ ବାପଘର,
କାମନାହିଁ ସେଠି ଖାଇବି ଖାଲି,
ଫେରିଲା ବେଳକୁ ଥିବି ମୁଁ ଫୁଲି ।
ହେବା ପାଇଁ ରାଜି ତୁମ ଆହାର,
ହେଲେ କରିଦିଅ ଜଙ୍ଗଲ ପାର,
ବାଘ ମାମୁଁ କଲା ଜଙ୍ଗଲ ପାର,
ବୁଢ଼ୀ ପହଞ୍ଚିଲା ତା ବାପ ଘର ।
ବାପା ମାଆ ଆଉ ଭାଇ ଭାଉଜ,
ସାଥେ ବୁଢ଼ୀକଲା ଭାରି ମଉଜ,
କାମ ନାହିଁ କିଛି ଖାଇଲା ଖାଲି,
ଅଳପ ଦିନରେ ଗଲା ସେ ଫୁଲି ।
ଖୁସିରେ କଟିଲା ବହୁତ ଦିନ,
ଫେରିବାକୁ ଏବେ ହେଲାଣି ମନ,
ବାଘ ଆଉ ହେଟା ଥିବେଯେ ଚାହିଁ,
ଫେରିବ କିପରି ଦେବେ ସେ ଖାଇ ।
ଲାଉ ଖୋଳ ବଡ଼ ଦେଖିଲା ଘରେ,
ବୁଢ଼ୀ ପଶିଗଲା ତାହା ଭିତରେ,
ବିଦା ହୋଇ ବହୁ ଲୁହ ଅଜାଡ଼ି,
ଲାଉ ଖୋଳେ ପଶି ଚାଲିଲା ଗଡ଼ି ।
ବାଟେ ବାଘ କହେ ଲାଉ ଧୁଡୁକୀ,
ମୋର ବୁଢ଼ୀକୁ ତୁ ଦେଖି ଅଛୁକି ?
ବୁଢ଼ୀ କରି ଅତି ଘାଘଡ଼ା ସ୍ୱର,
ଥରି ଥରି କହେ ଲାଉ ଭିତର ।
ମୁଁହିଁ ନ ଜାଣଇ ବୁଢ଼ୀ କି ଫୁଡ଼ି,
ମୁଁ ତ ଯାଉଅଛି ଖୁସିରେ ଗଡ଼ି,
ବାଟ ଛାଡ଼ି ଦେଲା ଲାଉକୁ ବାଘ,
ଲାଉ ଗଡ଼ିଗଲା ଆହୁରି ଆଗ ।
ଅଳପ ବାଟ ସେ ଯାଇଛି ଗଡ଼ି,
ବାହାରୁ ଶୁଭିଲା ହେଟାର ରଡ଼ି,
ଲାଉ ଧୁଡୁକୀ ରେ ଲାଉ ଧୁଡୁକୀ,
ମୋର ବୁଢ଼ୀକୁ ତୁ ଦେଖି ଅଛୁକି ?
ମୁଁହିଁ ନ ଜାଣଇ ବୁଢ଼ୀ କି ଫୁଡ଼ି,
କହିବୁଢ଼ୀ ଗଲା ଜୋର ରେ ଗଡ଼ି,
ହେଟା ଭାଇ ଥିଲା ବଡ଼ ଚତୁର,
ଧରି ନେଲା ସିଏ ବୁଢ଼ୀର ସ୍ୱର ।
କହିଲା କେ ଅଛ ଲାଉ ଭିତର,
ଚିହ୍ନା ଜଣା ଲାଗେ ତୁମର ସ୍ୱର,
ଚମକିକି ବୁଢ଼ୀ ଜିଭ କାମୁଡ଼ି,
ଆହୁରି ଯୋର୍ ରେ ଚାଲିଲା ଗଡ଼ି ।
ହେଟା ପଛେ ପଛେ ଲାଉଟି ଆଗେ,
ଲାଉ ଛୁଟୁ ଅଛି ପବନ ବେଗେ,
ବାପଘରେ ଖାଇ ବୁଢ଼ୀ ଶକତ,
ଖାଇଥିଲା ନିତି ଦଶ ବକତ ।
ଯେତିକି ଯୋର୍ ସେ ଲାଉ ଗଡ଼ାଏ,
ହେଟା ଭାଇ ସେତେ ପଛକୁ ରହେ,
ଝାଳ ନାଳ ହୋଇ ହାମ୍ପଇ ବୁଢ଼ୀ,
ରହ ରହ ତେଣେ ହେଟାର ରଡ଼ି ।
ଲାଉ ଗଡ଼ି ଗଡ଼ି ବୁଢ଼ୀ କବାଟେ,
ମାଡ଼ ହୋଇ ‘ଢୋ’ ଶବଦେ ଫାଟେ,
ଏକ କୁଦାକରେ ବୁଢ଼ୀ ନିକଲି,
ଘରେ ପଶି ଦିଏ କବାଟ କିଳି ।