ବୋଉ- ଏକ ଚେତନା
ବୋଉ- ଏକ ଚେତନା
ଅପାଠୋଇ ଥିଲୁ ପଛେ ବୋଉ ମୋପାଇଁ ତୁ ମହାଗୁରୁ,
ସଂସ୍କାରର ଆଦ୍ୟ ଶିକ୍ଷା ଗୁରୁଜନ ଭକ୍ତି ଲଭିଛି ତୋଠାରୁ ।
ଭଲ ପାଇବାର କଳା ଭରିଥିଲୁ ଦୁଃଖୀ ରଂକୀ ଯେତେ,
ତୋ ଦୁଆରୁ ଖାଲି ହାତେ କେହି ଫେରେ ନାହିଁ ଅଳପ ବହୁତେ ।
ଭୋକିଲା ପେଟରେ ତୁତ ଶିଖାଇଛୁ ଅନ୍ନ ଦାନ ମାନ,
'ନମଃ ଗଣେଶ ବିଘ୍ନେଶ' ପୁଷ୍ପାଞ୍ଜଳି ତୋର ଅବଦାନ ।
ଫେରିବା ଡେରି ହେଲେ ତୁ ଯାଉ ମୋର ସ୍କୁଲ ଫେରା ବାଟେ,
ମତେ ଭୋକ ନଲାଗୁଣୁ ତୋ ପେଟକୁ ଚାଉଁକିନା କାଟେ ।
ମୋ ଦେହ ବାଧକି ଗଲେ ତୋ ଆଖିକୁ ଆସେ ନାହିଁ ନିଦ,
ମତେ ସାପ କାମୁଡିବା ଆଗୁ ତୁ ନିଜେ ବଳି ଯାଉ ଗଦ ।
ନିଜ ସୁଖ ଭାବିନାହୁଁ କେବେ ମୋ ପାଇଁ ସଦା ତତପର,
'ବାବୁରେ ତୁ ପଢ଼ିଲେ ଜାଣିବୁ' ଏହା ଥିଲା ତୋ ମନ୍ତ୍ର ସାର ।
ସବୁ ଘଟେ ଅଛନ୍ତି ଈଶ୍ୱର ଏହି ମନ୍ତ୍ର ତୋହଠାରୁ ଶୁଣା,
ତୋ ସଂସ୍କାର ପାଇ ଆଜି ମୁହିଁ ସମାଜରେ ଜଣକରେ ଗଣା ।
ତିନି ବର୍ଷ ଶଯ୍ୟାଶାୟୀ ହୋଇ ମାଟିଘଟ ମୋହ ତୁ ଛାଡିଲୁ,
ଅଠର ଡିସେମ୍ବର ସତରରେ ଇହଲୀଳା ତୋର ସାଂଗ କଲୁ ।
ବକୁଳ ଅମାବାସ୍ୟା ଗତେ ପ୍ରତିପଦ ତିଥି ସୋମବାର,
ଓଁକାର ଚିହ୍ନ ଏକାଦଶୀରେ ଲକ୍ଷଣ କି ମୋକ୍ଷ ପ୍ରାପ୍ତିର !
ତୋ ଅବର୍ତ୍ତମାନରେ ଜନ୍ମ ସ୍ଥାନ ଆମ ଲାଗୁନାହିଁ ଘର,
ନୀରବେ ନୀରତେ ଢାଳୁଛି ନୀର ବୋଉଲୋ ତୁ (ପାରୁ ଯଦି) ମତେ କ୍ଷମା କର ।