ହେ ମୃତ୍ୟୁର ଦୂତ
ହେ ମୃତ୍ୟୁର ଦୂତ
ହେ ମୃତ୍ୟୁର ଦୂତ
ତୁ ବଡ଼ ନିର୍ଦ୍ଦୟ
ଲୋତକର ବନ୍ୟା ତୁ
ଜାଳିଦେଉ ନିତି କେତେ ଯେ ହୃଦୟ।
ହେ ମୃତ୍ୟୁର ଦୂତ
ନୁହେଁ ତୁ ଦୟାର ଅବତାର
ନା କାହା ସ୍ନେହ ପ୍ରେମରେ ବନ୍ଧା ତୁ
ନା ଦେଖୁ ତୁ ସମୟ ଆସିବାର
ସଭିଏଁ କୁହନ୍ତି ତୋ ଆଗମନ କେବଳ ଅସମୟର।
ହେ ମୃତ୍ୟୁର ଦୂତ
ଜାଣେ ମୁଁ ହୃଦୟ ତୋର ଏକ ପଥର
ତରଳିନି କି ତରଳିବନି କେବେ
କେଉଁ ନିଷ୍ପାପ ଶିଶୁର ଦେଖି ମୁଖ
ନା ଦେଖି କେଉଁ ଅଭାବି ମଣିଷର ଦୁଃଖ।
ହେ ମୃତ୍ୟୁର ଦୂତ
ମୁଁ ପଢ଼ିଛି ଭାଷା ଅନେକ ଆଖିର
ଯେ ଖୋଜୁଥାଏ କେହି ଲୋକ ଆପଣାର
ସାଜିଥିଲା ଯେ କେବେ ସାହାରା ଜୀବନର
ତୁ କାଳେ ଛଡେଇ ନେଲୁ ବୋଲି
କାନ୍ଦୁଛି ଯା’ ଅନ୍ତର।
ହେ ମୃତ୍ୟୁର ଦୂତ
ସତେ କେବେ ତୁ ଦୁର୍ବଳ ପଡିନାହୁଁ
ସହସ୍ର ଆଖିରେ ଦେଖି ଲୁହର ସନ୍ତକ
ସତେ କେବେ ତୁ ଭାବିନାହୁଁ
ଟିକିଏ ଅଟକି ଯିବାକୁ
ଟିକିଏ ଲୁହ ପୋଛି ହସ ବୁଣିବାକୁ।
ହେ ମୃତ୍ୟୁର ଦୂତ
ତୁ ହୋଇପାରୁ ଶତ୍ରୁ ସମସ୍ତଙ୍କର
ହୋଇପାରୁ ତୁ ଘୃଣାର ପାତ୍ର
ହେଲେ ତୁ ତ ଶିଖାଉ ପୁଣି ଜୀବନ ଜୀଇଁବାର
ହୋଇପାରେ ମିଥ୍ୟା ସବୁକିଛି ଦୁନିଆରେ
ତୁ ଥିଲୁ ରହିଥିବୁ ହୋଇ ସତ୍ୟ ଚିର ନିରନ୍ତର।
ଜିତେନ୍ଦ୍ର କୁମାର କହଁର ,ଫୁଲବାଣୀ