ପୁରୁଷୋତ୍ତମ ଦେବ(13)
ପୁରୁଷୋତ୍ତମ ଦେବ(13)
ପୁରୁଷୋତ୍ତମ ଦେବ(13)
(ଐତିହାସିକ କାବ୍ୟାଂଶ)
--------------------------
ରାଜ ଦରବାର କରି ବସିଛନ୍ତି
କାଞ୍ଚିର ମଉଡମଣି,
ଉତ୍କଳର ଦୂତ ପହଞ୍ଚିଲା ନେଇ
ପୁରୁଷୋତ୍ତମଙ୍କ ବାଣୀ।
ଦେଇ ଯଥୋଚିତ ସନମାନ ଦୂତ
କହିଲା ବିନୟ ଗୀର,
"ବିବାହର ଶୁଭଲଗ୍ନ ଜାଣିବାକୁ
ଇଚ୍ଛା ଗଜପତିଙ୍କର।"
ଶୁଣି ଦୂତ ବାଣୀ କାଞ୍ଚି ନରମଣି-
ଚକ୍ଷୁ ହେଲା ରକ୍ତବର୍ଣ୍ଣ,
ଗରଜି ଉଠିଲେ ହାତେ ଧରି ଖଣ୍ଡା,
ବୋଇଲେ "ରେ ଅର୍ବାଚୀନ !
ମୃତ୍ୟୁଦଣ୍ଡ ଦେଇଥାନ୍ତି ରେ ପାଷଣ୍ଡ
ଦୂତ ବୋଲି ହେଲୁ ପାର,
ମୁହୂର୍ତ୍ତେ ନରହି ତତକ୍ଷଣେ ଯାଇ
କହିବୁ ରାଜାକୁ ତୋର।
ନାମକୁମାତ୍ର ସେ ରାଜା,କାମ ତାର
ଝାଡୁ ମାରିବା ରଥରେ,
ସେ କାର୍ଯ୍ଯ ମୋ ରାଜ୍ୟେ ଚଣ୍ଡାଳେ କରନ୍ତି
ଗଳିରେ, ରାଜପଥରେ।
ଦେଖି ଆସିଛନ୍ତି ରାଜପୁରୋହିତ,
ଅମାତ୍ୟ, ଘୋଷଯାତ୍ରାରେ,
କିପରି ତୋ'ରାଜା ଝାଡୁ କରୁଥିଲା
ତିନି ଠାକୁର ରଥରେ।
କି ସାହସ ତାର, ବାମନ ହୋଇ ସେ
ଚନ୍ଦ୍ର ଧରିବାକୁ ଭାଳେ,
ପିମ୍ପୁଡି ହୋଇ ସେ ଦୀପରୂଖା ପରେ
ଚଢୁଛି ଅଜ୍ଞାନବଳେ।
ରୂପସୀ ମୋ ରାଜଜେମା ରୂପାମ୍ବିକା
ହେବେ ଆର୍ଯ୍ୟରାଜ୍ୟ ରାଣୀ,
ଏ ଅନାର୍ଯ୍ୟ ଚଣ୍ଡାଳକୁ ବିଭାହେଲେ
ବୋଲାଇବେ ଚଣ୍ଡାଳୁଣୀ।"
କରି ଅବନତ ମଥା, କହେ ଦୂତ
"ଦୋଷ କ୍ଷମାକର ଦେବ,
ଜଗନ୍ନାଥଙ୍କର ପ୍ରଥମ ସେବକ
ଶ୍ରୀପୁରୁଷୋତ୍ତମ ଦେବ।
ଯେ ଈଶ୍ୱର ସୃଷ୍ଟି ଆଧାର,ମୋ ପ୍ରଭୁ
ଥାଆନ୍ତି ତାଙ୍କ ସେବାରେ,
ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା
ବୋଲାନ୍ତି ସେହୁ ମହିରେ।
ଝାଡୁ ବୋଲି ଛାମୁ ବୋଲୁଛନ୍ତି ଯାହା
ସେ'ତ ରତ୍ନ ସମାର୍ଜନୀ,
ତିନି ଠାକୁରଙ୍କ ରଥ ସମାର୍ଜନା
କରନ୍ତି ମଉଡମଣି।
ଜଗତପତିଙ୍କ ସେବକଙ୍କୁ ଛାମୁ
କିପରି ବୋଲନ୍ତି ହୀନ !
କେତେ ଯୁଗ ତପ ଫଳ ମିଳେ ରଥ
ଥରେ କଲେ ସମାର୍ଜନ !
ଯା କୃପା-କୈବଲ୍ୟ କାଣିଚାଏ ପାଇଁ
ସାରା ସୃଷ୍ଟି ରଙ୍କପ୍ରାୟ,
ସେହି ଜଗନ୍ନାଥ ଅନାଥର ନାଥ,
ତାଙ୍କ ସେବକ ମୋ ରାୟ।
ଘଣ୍ଟରେ ଘୋଡାଇ ରଖିଛନ୍ତି ପ୍ରଭୁ
ଜଗନ୍ନାଥ ଏ ବିଶ୍ଵକୁ,
ପତିତପାବନ ଛାଇରେ ଶୀତଳ
କରନ୍ତି ସେ ଜଗତକୁ।
ରତ୍ନବେଦୀ ପାଶେ ଠିଆହେଲେ ପରା
ସବୁ ପାପ ଯାଏ ଧୋଇ,
ପ୍ରଭୁଙ୍କର ରଥ ଛୁଇଁଦେଲେ ପରା
ବୈକୁଣ୍ଠ ପ୍ରାପ୍ତ ହୁଅଇ।
ଘରେ ଘରେ ପୂଜା ପାଆନ୍ତି ନରେଶ
ପ୍ରଭୁଙ୍କ କିଙ୍କର ଭାବେ,
ସେପରି ଭକ୍ତକୁ ଚଣ୍ଡାଳ ବୋଲନ୍ତି
ଛାମୁଁ ପୁଣି କେଉଁ ଭାବେ?"
ଶୁଣି ଦୂତ ବାଣୀ ହୋଇ ଖଡ୍ଗପାଣୀ
ବୋଇଲେ କାଂଚୀ ନରେଶ,
"ଉଦ୍ଭଟ ଭାଷଣ ଶୁଣିବାକୁ ତୋର
ସମୟ ମୋ ନାହିଁ ଲେଶ।
ତୁରନ୍ତ ତୁ ଫେରିଯାଇ କହ ଦୂତ
ଚଣ୍ଡାଳ ରାଜାକୁ ତୋର,
ଉତ୍କଳ ରାଜାକୁ କନ୍ୟା ଦେବେନାହିଁ
କାଂଚୀ ରାଜ୍ୟ ନରବର।
ରାଜପୁତ୍ର ଗଳେ ମୁକ୍ତାମାଳ ଦେଲେ
ତା'ସିନା ଶୋଭା ପାଇବ,
ବାନର ଗଳାରେ ମୁକ୍ତାମାଳା ଦେଲେ
କାଚ ବୋଲି ଫିଙ୍ଗିଦେବ।
ଅଲିଅଳୀ କାଂଚୀଜେମା ବିଭାହେବେ
ଯୋଗ୍ୟ ରାଜ ପରିବାରେ,
ରୂପାମ୍ବିକାକୁ ମୋ ବର ନମିଳିଲେ
ଦେବି ଚଣ୍ଡାଳ ହାତରେ।
କ୍ରମଶଃ---------