ତୁମ୍ଭେ ଦୀନନାଥ
ତୁମ୍ଭେ ଦୀନନାଥ
ଅଜ୍ଞାନ କଜଳ ପାଇଁ ମୋ ସଜଳ
ଆଖିକୁ ଦିଶୁନି ଥଳ
ପଡିଲି କି ପାଲେ କାତ ବି ନ ଚାଲେ
ଭୁଜେ ନାହିଁ ଆଉ ବଳ ।
ମାୟାବୀ ରାଗରେ ଏ ଭବ ସାଗରେ
ଲାଗେ ସିନା ଡର ଡର
ଉତ୍ତମ କରମ ନକରି ଧରମ
ହୁଡି ହେଲି ହରବର ।
ମୋକ୍ଷ ପଥ ଛାଡି ଜନ୍ମଚକ୍ରେ ମାଡି
ମର୍ତ୍ତ୍ୟେ ଦେଲି କୁଆଁ ରାବ
ଅମୃତ କଳସେ ନ ଦେଖି ଅଳସେ
ଘେନିଲି ଦଦରା ନାବ ।
ଧରିବାକୁ କାତ ବଢାଇଲି ହାତ
ଛିଦ୍ରକୁ ନବୁଜି ଆଗେ
ଥଳକୂଳ ହୀନ ଅର୍ଣ୍ଣବେ ମୁଁ ଦୀନ
ଚଳିଲି ନବୁଝି ଧାଗେ ।
ଜାଣିଲିନି ଥିବେ ଜଳଚର ଜୀବେ
ଅତଳ ସାଗର ଗର୍ଭେ
ନିମିଷେ ଆହାର ହେବି କି କାହାର
ଘେରି ରହିଥିବେ ସର୍ବେ ।
ଉଦ୍ଧାରିଲ କରୀ ଗ୍ରାହ ଗଲା ତରି
ପରମ ଗତି ସେ ପାଇ
ତୁମ୍ଭେ ମାୟା ବଳେ ବସ୍ତ୍ର ଦେଲ ଛଳେ
ଦ୍ରୌପଦୀଙ୍କୁ ଦୂରେ ଥାଇ ।
କି କାରଣେ ହରି କଲ ଏତେ ସରି
ଅନୁନୟ ତୁମ୍ଭ ପାଦେ
ନୁହେଁ ବୋଲି କୃଷ୍ଣା କିବା ମୋର ତୃଷ୍ଣା
ହରୁ ନାହଁ କେଉଁ ବାଦେ ।
ବିନତି ମୋ ଘେନି ସାହା ହୁଅ ବେନି
ବାହାକୁ ବଢାଇ ଆଜ
ବିପଦୁ ବାହାର ନକଲେ କାହାର
ଅପଯଶେ ଥିବ ଲାଜ ?
ଅବଶ ଅଚଳ ବିନୀତେ ଚଞ୍ଚଳ
ରକ୍ଷା କର ଲକ୍ଷ୍ମୀନାହା
ତୁମ୍ଭେ ଦୀନନାଥ ଥାଉଁ ଏ ଅନାଥ
ଲୋଡିବ କି ଆନ ସାହା ?
ପ୍ରସନ୍ନ କୁମାର ମାଦଳା