ବର୍ଷା, ବୋଉ ଓ କାୟାମଞ୍ଚ
ବର୍ଷା, ବୋଉ ଓ କାୟାମଞ୍ଚ
ହେମନ୍ତ କୁମାର ରାଉତ
ପିଲାଦିନେ ସ୍କୁଲକୁ ଯିବାବେଳେ
ଖରା ପାଇଁ ବାପା ମୋ’ ଉପରେ
ଛତା ଟେକିବା ପରି
ଗଛ ସେମିତି ଡାଳ ମେଲେଇଥାଏ ।
ଗଛଟିଏ ମୋ’ ବୋଉର କାନି ପରି
ବର୍ଷା ଆସିଲେ ଯିଏ ମୋ’ ଉପରେ
ଛନଛନ ପତ୍ରର ପଣତ ଢାଙ୍କିଦିଏ ।
ଗଛ କେବେ ବୋଧିଦ୍ରୁମ, ମାୟା ମଞ୍ଚରୁ
କାୟାକୁ ନିର୍ଲିପ୍ତ କରି ସେମିତି ଛିଡାହୋଇ
ଥାଏ ଚିରକାଳ ସ୍ଥିତପ୍ରଜ୍ଞ ପରି ।
ଗଛ ଅଙ୍ଗାରକାମ୍ଳ ପାପମାନଙ୍କୁ ପାନ କରେ
ନୀଳକଣ୍ଠ ସାଜି
କେବେ ଅଙ୍ଗପ୍ରତ୍ୟଙ୍ଗ ହରାଇ ପାଲଟିଯାଏ ଜଗନ୍ନାଥ ।
କେବେ ସବ୍ଜା ଶାଢି ପିନ୍ଧି ଫୁରୁଫୁରୁ,
ପତ୍ର ଚୂଳରେ ଫୁଲଗୁନ୍ଥି ବିରହିଣୀ ପରି
ଅପେକ୍ଷା କରେ ପ୍ରିୟତମ ପକ୍ଷୀମାନଙ୍କୁ ।
କେବେ ତା’ର ନୀରବିତ ବ୍ରହ୍ମନାଦରେ
ନୀଳ ଶୂନ୍ୟରେ ମେଘମଲ୍ଲହାର ଶିହରିତ
କେବେ ବୀର ଦର୍ପରେ ପବନ ସଙ୍ଗରେ
ଲଢିଲଢି ଡାଳ ଭାଙ୍ଗି ମୂଳ ଉପୁଡିଯାଏ
ତଥାପି ଦଧିଚି ପରି ସବୁ ଅସ୍ଥି
ବାଣ୍ଟୁଥାଏ ମଣିଷମାନଙ୍କୁ ।