ଶରତ ଛୁଆଁରେ
ଶରତ ଛୁଆଁରେ
ଶ୍ୟାମଳୀ ଧରଣୀ ପ୍ରକୃତିର ରାଣୀ
କେଢେ ଅପରୂପା ସାଜେ
ସରଗ ସୁଷମା ନାହିଁ ତା ଉପମା
ଶରତ ବେଳାରେ ଆଜେ ।।
ସ୍ମୃତିର ପିଆଲେ ମନ ମତୁଆଲେ
ଶ୍ୱେତାମ୍ବର ପରିପାଟେ
ସ୍ନିଗ୍ଧ ସୌମ୍ୟାକାନ୍ତି ତୋଳେ ସେ ପ୍ରଶାନ୍ତି
ଗୋଧୂଳି ଲଗନ ଘାଟେ ।।
ମୁକୁଳିତ କେଶ କରେ ସତେ ବଶ
ଅଭିମାନୀ ସ୍ୱର ତୋଳେ
କର ଦ୍ୱୟ ଛନ୍ଦି କଲା କିଏ ବନ୍ଦୀ
ଏହି ପୂର୍ଣ୍ଣ ସାୟଂ କାଳେ ।।
କାଶତଣ୍ଡି ଆଜି ଯାଉଛି ମଉଳି
କେଉଁ ବେଦନାର ସ୍ୱରେ ??
ନଦୀ ପଠା ପୁଣି ସରସ ଲାଗୁନି
କାହା ଅୟୁତ କୋହରେ ??
ପ୍ରକୃତିର ଶୋକ ଦେଖି ଅଭିଭୂତ
ହୋଇଛ କି ଅନୁରାଗୀ ??
ହୃଦ ଅନ୍ତଃସ୍ୱରେ ସମବେଦନାରେ
ପଡିଛ କି ତୁମେ ଭାଙ୍ଗି ??
ବିରହକୁ ଭାଙ୍ଗି ଉଠିବ କି ଜାଗି
ପ୍ରୀତିର ଫଲ୍ଗୁ ବୁହାଇ
ପ୍ରକୃତିର ହସେ ମଧୁ ଯେ ବରଷେ
ପୂର୍ଣ୍ଣତା ଦିଶିବ ମହୀ ।।
ଦୁର୍ଗତିନାଶିନୀ ମାତା ଜଗଦମ୍ବେ
ଉତ୍ତରିବେ ଏ ଧରାରେ
ପାପ ଦୂରେଇବ ଜ୍ଞାନ ପ୍ରକାଶିବ
ଏହି ଶରତ ଛୁଆଁରେ ।।