ମାଆର ମମତା
ମାଆର ମମତା
ତୁ କେବେ ମାଗିନୁ ତୋର
ମମତାର ମୂଲ ।
ମୁଁ କାନ୍ଦିଲେ ତୋ ଆଖିରୁ ଝରେ ଲୁହ
ଧାଇଁ ଆସି କୋଳେ ନେଉ ତୋଳି
କରୁ କେତେ ଗେଲ ।।
ମୁଁ ହସିଲେ ତୋ ପେଟ ପୁରିଯାଏ,
ତୋ ଓଠରୁ ଝରିପଡେ ହସ ।
ମୋ ଶୁଭ ମନାସଉ ସଦା
କରି କେତେ ବ୍ରତ ଉପବାସ ।।
ମୁଁ କେବେ ପଡିଲେ ରୋଗରେ
ତତେ ସବୁ ଦିଶଇ ଅନ୍ଧାର ।
ମୋ ପାଖରେ ବସୁ ଉଜାଗରେ
ଦିନ ରାତି କରି ଏକାକାର ।।
ମୁଁ ଯେତେ ଅସୁନ୍ଦର ହେଲେ
ତୋ ପାଇଁ ମୁଁ ରାଜାର କୁମାର ।
ଡେରି ହେଲେ ମୋ ଫେରିବା ବେଳ
ଯାଉଥାଉ ଦୁଆରୁ ଦାଣ୍ଡକୁ
ଆଉ ଦାଣ୍ଡରୁ ଦୁଆର ।।
ଯେତେ ବଡ ହେଲେ ବି ମୁଁ
ସବୁବେଳେ ଛୋଟ ତୋ ଆଖିରେ ।
ସୁଖି ଯାଇଥିଲେ ମୁହଁ ମୋର
ପୋଛିଦେଉ ପଣତ କାନିରେ ।।
ନିଜେ ନଖାଇ ତୁ
ମୋ ପାଇଁ ରଖି ଥାଉ ।
ତୋ ଛଡା ଏ ଦୁନିଆରେ
ଏପରି କିଏ ସେ କରିବ ବା ଆଉ ।।
ଯେତେ ଅଭାବରେ ଥାଇ ବି ତୁ
ସବୁ ଇଛା ମୋର କରିଛୁ ପୁରଣ ।
କେବେହେଲେ ଦେଇନାହୁଁ
ଜାଣିବାକୁ ଅଭାବ କଅଣ ।।
ତୋ କୋଳରେ ଯଦି କେବେ
ମୁଣ୍ଡ ରଖି ଯାଏ ମୁହିଁ ଶୋଇ ,
ମୋ ମନର ଯେତେ କଷ୍ଟ
ଯେତେ ବା ବେଦନା
ଭୁଲିଯାଏ ମୁହିଁ ।।
ସବୁ କଷ୍ଟ ନୀରବରେ
ସହିଯାଉ ବୋଲି
ଏ ସଂସାରେ ତୁ ସର୍ବଂସହା ।
କାହାରି ଯନ୍ତ୍ରଣା ଦେଖିଲେ
ତୋ ତୁଣ୍ଡରୁ ବାହାରଇ 'ଆହା' ।।
ଏ ସଂସାରେ କେହି କେବେ
ହେବେନାହିଁ ତୋର ସମତୁଲ ।
ତୋ ଠାରେ ସମସ୍ତେ ଋଣୀ
ଦେଇ କେ ପାରିବ
ତୋ ମମତାର ମୂଲ ?
ବାଉରିବନ୍ଧୁ ଲେଙ୍କା