ଶୁଣ ଦୀନବନ୍ଧୁ
ଶୁଣ ଦୀନବନ୍ଧୁ
ଶୁଣ ଦୀନବନ୍ଧୁ ଗୁହାରି ମୋହର
ନ ଶୁଣିଲେ ହୁଏ ହୃଦୟ କାତର
ହେଉଥିବ କେତେ ନ ଶୁଣିଲା ପରି
ଏ ଭବ ସାଗରେ ହେଉଛି ମୁଁ ଘାରି
ଦୁଃଖହାରୀ ତୁମେ ଦୁଃଖୀକୁ ଶୁଣୁଛ
ଘୋର ବିପଦରୁ ପାରିତ କରୁଛ
ଆରତେ ଡାକୁଛି ଏ ଛାର ଅଧମ
ଶ୍ରବଣ କରିବ ହେ ପୁରୁଷୋତ୍ତମ
କରିଛ ଉଦ୍ଧାର ଡାକନ୍ତେ ଶ୍ରୀ ହରି
ସଭାରେ ପାଞ୍ଚାଳୀ ଲଜ୍ଜା କୁ ନିବାରି
ଦେଇଛ ଶରଣ ପାଇଁ ବିଭୀଷଣ
ସହି ପାରିଲନି ଦେବକି କଷଣ
ମୋ ଡାକ ଡାକରେ ଅଭାବ କି ହରି
ଶୁଣୁନାହଁ କେବେ ଶ୍ରବଣକୁ ଡେରି
ଭାଗ୍ୟ ବାମ ବୋଲି କରୁଅଛ ମାୟା
ମୋ ବେଳକୁ ଯାହା ନାହିଁ ତୁମ ଦୟା
ନିସ୍ତରିବି ବୋଲି ତୋର ନାମ ଧରି
କରୁଛି ଗୁହାରି ଆହେ ଚକ୍ରଧାରୀ
କରିଅଛ ଦୟା କେତେ ଭକ୍ତଠାରେ
ଦିଅ ସେହି ଦୟା ମୋଠାରେ ବି ବାରେ
ତୋର ପଥ ପାଇ ଯିବି ମୁଁ ଆଗକୁ
ତୋ ଦୟା ସାଗରେ ହଜାଇ ନିଜକୁ
ସଂସାର ଭିତରେ ସାହା ଏକା ତୁହି
ତୋର କୃପା ବିନା ଅନ୍ୟ ଗତି ନାହିଁ
ପ୍ରଶାନ୍ତ କୁମାର ହୋତା