ଜୀବନ୍ତ ପ୍ରତିମା
ଜୀବନ୍ତ ପ୍ରତିମା
ମୋ'କବିତା ଏକ
ଜୀବନ୍ତ ପ୍ରତିମା
ରୂପ,ରସ,ଛନ୍ଦ
ପ୍ରୀତିରେ ଭରା ।
ତା' ଗୁଣ ଗାରିମା
ବର୍ଣ୍ଣିବାକୁ ନାହିଁ
ମୋ' ପାଖରେ ଭାଷା
ଭାବ ପସରା ।
ମୋ' କବିତା ଏକ
ନିଆରା ରମଣୀ
ଅମାପ ତାହାରି
ହୃଦୟ ଧାରା ।
କାହାକୁ ହସାଇ
କାହାକୁ କନ୍ଦାଏ
ଆସରା ତାହାରି
କୂଳ କିନାରା ।
କବିତା ମୋହର
ବଧିର ବସୁଧା
ଇର୍ଷା ଅହଂକାର
ଶୁଣି ନଥାଏ ।
ଆପଣା ପଣରେ
ନିଜ ସୌରଭେ
ଜଗତସାରାକୁ
ସଜେଇ ଥାଏ ।
କବିତା ମୋହର
ବୈଦିକ ଭଉଣୀ
ନିଜେ ଜଳି ମୋର
ମଙ୍ଗଳ ଚାହେଁ ।
ସେ ପୁଣି ମମତା
ମୃଣ୍ମୟୀ ସବିତା
ସୁନାର ଆଲୋକେ
ଜଗତ ମୋହେ ।
କବିତା ଯେ ମୋର
ସଞ୍ଜ ସକାଳ
ଋତୁରେ ବାସନ୍ତୀ
ରୂପରେ ରାଣୀ ।
ରଙ୍ଗେ ଇନ୍ଦ୍ରଧନୁ
ସ୍ୱଭାବେ ସ୍ନିଗ୍ଧା
ମୋ'ପାଇଁ ଶୁଭଶ୍ରୀ
ପରଶ ମଣି ।
କବିତା ଲୋ ! ପ୍ରିୟ
ମାନସୀ କନ୍ୟା
ମୋ'ମାନସେ ତୋତେ
ସାଇତି ଥିବି ।
ଜୀଵନେ ତ କେବେ
ଭୁଲି ପାରିବିନି
ଭୁଲିବି, ଯେ ଦିନ
ମଶାଣି ଯିବି ।