ତମେ ଆସିବ ବୋଲି
ତମେ ଆସିବ ବୋଲି
ତମେ ଆସିବ ବୋଲି
ଗ୍ରୀଷ୍ମର ଯେତେ ଉଦାସ ପ୍ରହର
ଘର୍ମାକ୍ତ ପ୍ରାଣର ଯେତେ ଅସଂଲଗ୍ନ ମାନଚିତ୍ର
ଅସଂଯତ ମନର ଅକ୍ଷାଂଶ ଦ୍ରାଘିମା
ଜୀବନର ଯେତେ ଜଟିଳ ଗାଣିତିକ ସୂତ୍ର
ସରଳ ସମ୍ମୋହନରେ ଉବୁଟୁବୁ ହେଲାଣି
ଥପ୍ ଥପ୍ ନିଗିଡିପଡୁଥିବା ମହମ
ଅଣ୍ଟା ସଳଖ କଲାଣି ପୁନଶ୍ଚ
ହାତ ଠାରି ଡାକିଲାଣି ପଳାଶ ବଣର ଛାଇ
ମେଘର କୋରକରୁ ଝରିଲାଣି ଝିପି ଝିପି ବର୍ଷା
ପ୍ରଜାପତି ଉଡିଲେଣି ଏ ଫୁଲ ସେ ଫୁଲ
ଶବ୍ଦାୟିତ ହେଲାଣି ନିଃଶବ୍ଦ ସମୟ
ଭିଜାମାଟିର ଭୁରୁଭୁରୁ ବାସ୍ନାରେ ।
ତମେ ଆସିବ ବୋଲି
ବିନା ମେଘେ ହସିଲାଣି କାମନାର ଇନ୍ଦ୍ରଧନୁ
ଫର୍ଚା ହେଲାଣି ଆକାଶର ଛାତି
ଧସେଇ ପଶୁଛି ମୃଦୁ ସମୀରଣ
ନୀରବତାର ନୀଳ ଢେଉ ଡେଇଁ ,
ଫୁଟିଯାଏ ଖୁସିର କଦମ୍ବ
ଚହଲି ଯାଏ ମନ ତଳ ସୁପ୍ତ ଆଗ୍ନେୟଗିରି
ଦରଫୁଟା ସ୍ବପ୍ନଙ୍କର ହୁଏ ଅଭିସାର
ଅଧା ଛାଇ ଅଧା ଜହ୍ନ ଆଲୁଅରେ,
ବାସ୍ନା ଝରେ ବଉଳ ଫୁଲରୁ
ଫଗୁଉଡେ ବିନା ଫଗୁଣରେ ।
ତମେ ଆସିବ ବୋଲି
ବେଳାଭୂଇଁ ଛୁଇଁଲାଣି ସମୁଦ୍ରର ଢେଉ
ଜକଜକ ଦିଶିଲାଣି ସମ୍ପର୍କର ପାଦଚିହ୍ନ
ଗୁଂଜରିତ ହେଲାଣି ମୋହନର ବଂଶୀ
କଦମ୍ବ ବନରୁ ଶୁଭିଲାଣି ପ୍ରେମର ମଧୁର ସଂଗୀତ
ପବନର ଉଚ୍ଚାଟତାରେ ଶୁଭିଲାଣି ନୀଳ କୋଳାହଳ
ଲଭିଲାଣି ଯେତକ ନିଃସଙ୍ଗ ଓ ଅଳସ ମୁହୂର୍ତ୍ତ
ଧୂ ଧୂ ନୀଳ ଦାବାଗ୍ନିରେ
ବାକି ଯାହା ଗଢାହେବ ପ୍ରୀତିର କୋଣାର୍କ
ତୁମରି ଅନିନ୍ଦ୍ଯ ସ୍ପର୍ଶରେ ।