ପ୍ରାର୍ଥନା
ପ୍ରାର୍ଥନା
କର ଯୋଡି କରେ ପ୍ରାର୍ଥନା
ଆହେ ବିଶ୍ବବନ୍ଦନ
ଫେଡିନିଅ ଭବ ଯାତନା
ବାରେ ଯଦୁନନ୍ଦନ ।
ତୁମ୍ଭର କରୁଣା ବିନ୍ଦୁର
ବଳେ ଭକ୍ତି ଅରଜି
ଥିବି ଏ ଶୟଳ ସିନ୍ଧୁର
ଜଳେ ଭୟ ବରଜି ।
ତୁମ୍ଭେ ତ ହଟିଆ ନାଗର
ହୋଇ ଦାରୁମୂରତି
ବୋଲାଉଛ କୃପା ସାଗର
ଇଚ୍ଛା କର ପୂରତି ।
ଅରାତି କବଳେ ଶିକାର
ହେଲି ରଖ ଶରଣ
କ୍ରୋଧ ଈର୍ଷା ଘୃଣା ବିକାର
କରିନିଅ ହରଣ ।
ବୁଡିଥିଲି ପାପ ଜଳରେ
ହେଉ ନାହିଁ ପରତେ
ଧର୍ମ ପଥେ ପୁଣ୍ୟ ବଳରେ
ଜୀଇଁଥିବି ମରତେ ।
ଭରିଦିଅ ଜ୍ଞାନ ପ୍ରକାଶେ
ମୋର ଭାଗ୍ୟ ଗଗନ
ସତ୍ୟ ନ୍ୟାୟ ଧର୍ମ ସକାଶେ
ଚିତ୍ତ ରହୁ ମଗନ ।
ହୋଇନି ପାସୋର ଅତୀତ
ନିଜ ହାତ ବଢାଇ
ଉଦ୍ଧାରିଛ କେତେ ପତିତ
ତୁମ୍ଭେ ବାଟ କଢାଇ ।
କର ଏ ସଙ୍କଟ ମୋଚନ
ବେନି କର ପସାରେ
ଦିଅ ପ୍ରଭୁ ଜ୍ଞାନ ଲୋଚନ
ତମମୟ ସଂସାରେ ।
ଦୀନଜନ ପାଇଁ ବସନ
ଦାନେ ନୋହି ସୀମିତ
ବଢାଉ ମୋ ହାତ ଅଶନ
ବୁଭୁକ୍ଷୁର ନିମିତ୍ତ ।
ଶ୍ରୀପଦେ ସାଷ୍ଟାଙ୍ଗ ଶୟନ
କଲି ଘେନ ପ୍ରଣତି
ଶୁଣ ଆହେ ଚକାନୟନ
ମୋର ଭାବ ଭଣତି ।
ପ୍ରସନ୍ନ କୁମାର ମାଦଳା