ନିରବ ନିର୍ଯାସ
ନିରବ ନିର୍ଯାସ
ଲେଖନୀ ମୋ ଯଦି ସମାଜେ ସଦ୍ଦିଚ୍ଛା ସିଞ୍ଚିବାକୁ ଆଗଭର
କାହିଁକି ଡରିବି ? କୂଟିଳେ ଝୁଲୁ ବି ବର୍ଚ୍ଛା, ତୀର, ତଲଓ୍ବାର
ଓପ୍ରୋଧ ରଖେନା କାରେ,
ସମାଜ ସ୍ବାର୍ଥରେ ମୋ ଲେଖନୀ ଗୋଟି କୋଟି ଅସ୍ତ୍ର କାଟିପାରେ ।
ପ୍ରଚାର ପାଏଁ କି ପୁରସ୍କାର ପାଏଁ ପ୍ରଚେଷ୍ଟାର ପାରିତୋଷେ
ଉଏଁନା ଏ ଭାବ, ଉଦ୍ବେଳନେ ଯେବେ ଲେଖନୀ ମୋ ଲେଖିବସେ
ହଅଁ ଉଏଁ ଏକ ଭାବ,
ଯଥାସାଧ୍ୟ ଲେଖା ଉଦ୍ଦେଶ୍ୟରେ ଯେହ୍ନେ ଆତ୍ମା ମୋର ଉଲ୍ଲସିବ ।
ପରିବେଷଣ ମୋ ପ୍ରତିଦ୍ବନ୍ଦୀତାର ପଟଳରୁ ଦୂରେ ରହୁ
ପ୍ରତିଯୋଗୀପଣେ ପଥ ଭୁଲି ପରକୀୟା-ପଣଟି ନ ପାଉ
ପ୍ରାରବ୍ଧରେ ଥିବ ଯଦି,
ପଥର ତଳର ପୋଥିରେ ପଡି ବି ପ୍ଳାବିବ ଗଗନ ଭେଦି ।
ଅନ୍ୟଥା ଶାନ୍ତିତ ଆହରୁଛି ଆତ୍ମା, ଆଙ୍କୁନି ଅନ୍ୟ ଅନିଷ୍ଟ
ସାମର୍ଥ୍ୟ ସହିତ ସାହିତ୍ୟ ଶ୍ରଦ୍ଧାରେ ସୃଜନେ ସଦା ସନ୍ତୁଷ୍ଟ
ଭବିଷ୍ୟତେ ଗାଢେ ଭାବି,
ବର୍ତ୍ତମାନର ଏ ବୈଭବୀ ବିଭାରେ ବୈକଲ୍ୟ କିଆଁ ବୋଳିବି ?
ଉଚିତ ହେବନି ଉଚ୍ଚାଙ୍ଗ ଆଶାରେ ଉଧାରେ ଉଦ୍ଗାର ଗିଳି
ପ୍ରତିଷ୍ଠିତ ପାଇଁ ପରୋକ୍ଷେ ପରାର୍ଦ୍ଧ ପ୍ରବଞ୍ଚନା ହୃଦେ ପାଳି
ହଟେ ହେଲେ ବି ଆଗୁଆ,
ଆଢୁଆଳ ଅବା ଆଚ୍ଛାଦିବ ଆଉ କେତେ ଅନ୍ତର ଅସୂୟା ?
ସଦ୍ଦିଚ୍ଛାରେ ସିନା ସମୟ ସିଞ୍ଚଇ ସମର୍ଥନ ସଞ୍ଜୀବନି
ସ୍ବାର୍ଥଚ୍ଛା ସାହିତ୍ୟ ସୃଜେ ସିଆଣାରେ ସାମୟୀକୀ ଠାଣିମାଣି
କୁଣ୍ଠାରେ କଚାଡେ କାଳ,
କେତେଦିନ ନାଲି ଟୁକୁଟୁକୁ ଦିଶୁଥିବ ମହାକାଳ ଫଳ ?
ସୃଜନରେ ସୁତ୍ର ସମସାମୟୀକ ସମର୍ଥିତ ସାହିତ୍ୟରେ
ମାନିବା କି ପିକ ମାନ୍ୟ କାକେ ମିଳୁ ମହିମା ମନାଇବାରେ?
ମାରନ୍ତୁ ବି ମହାପାତ୍ର,
ମହାନଦୀ ମାପେ ଥୟ କେତେ ମୂଳମୁଣ୍ଡେ ମେଘ ମଜଭୁତ ।
ଜାତିଆଣ ଭାବ ଜଉଜଡା ଏବେ ଜିଇବାଟା ଯାହିତାହି
ପିୟୁଷର ପୋକ ପୁରୀଷରେ ପଶି ପାଳେ ପ୍ରୀତି ପାହି ପାହି
ପ୍ରଚାରଇ ପଣ୍ଡିତ ସେ,
ପର ପିଢି ପୁଷ୍ଟି ପରଖିବେ ପଶି, କେତେ ପାରମ୍ପରିକ ସେ ।
ଭୀମଭୋଇଙ୍କର ଭାବର ଭାସ୍କର୍ଯ୍ୟ ଭଜିଥିଲା ଭାରି ଭୀତି
ମୁକୁଳି ମହାନ ମହିମା ମୟୁଖ ମହୀରେ ମଜ୍ଜିଲା ମାତି
ସଦ୍ଦିଚ୍ଛା ସାରେନା କାଳ,
ଘଟା ଘଉଡାଇ ଘର୍ଘରେ ଘୋଟଇ ଘରେ ଘରେ ଅବିରଳ ।
ସାରୁନି ସମୟ, ସାହିତ୍ୟକୁ ସାରେ କରିବାକୁ ସ୍ବର୍ଣ୍ଡପ୍ରସୂ
ହୃଦୟ ହରିତ ଭାବ ହଜା ପୂର୍ବୁ ଲେଖନୀ ହତାରେ ହସୁ
ଅନ୍ତତଃ କେହି ତ ପାଇ,
ଜାଣି ତ ପାରିବେ ଜଣେ ଅଜଣା ବି ଏଠା ଯାତେ ଥିଲା ଜିଇଁ ।
ପଦ୍ୟରାଜ୍ୟେ ପଶି ମାଆ ପରମ୍ପରା ଯେ ପଣ୍ଡିତ ପାମ୍ପରାନ୍ତି
ତିରସ୍କୃତ, ହେଲେ ତହୁଁ ତିରସ୍କୃତ ତତ୍ତ୍ବେ ଯେ ତଥ୍ୟ ତୋଳନ୍ତି
ମୂର୍ଦ୍ଧନ୍ୟ ମୋହର ମରା,
ସହନ୍ତି କେମିତି ? ସାହିତ୍ୟୁ ସରୁଛି ସୌହାର୍ଦ୍ଦିୟ ପରମ୍ପରା ?
ପ୍ରଥମ ପ୍ରହରୁ ପ୍ରତିକାର ପାଞ୍ଚି ପାଳିଥିଲେ ପ୍ରତିରୋଧ
ପାଆନ୍ତା କି ପଦ୍ୟ ପରମ୍ପରା ଅଦ୍ୟ ପ୍ରଭାହୀନ ପରସାଦ
ଅରୁଚି ଆସନ୍ତା କାହିଁ, ?
ହଜାର ବରଷୁ ହଜିତ ନ ଥିଲା ସାଙ୍ଗୀତିକୀ ହଇଚଇ ?
ଉତ୍କଳୀୟ ପରମ୍ପରା ପାଳନେ ଯା' ପଣ୍ଡିତ ପଣିଆ ନାହିଁ
ତିଆରନ୍ତୁ ଏକ ତୃତୀୟ ଆକାଶ, ତୋଷେ ତିଳକ ଲଗାଇ
ନ ବରି ବାଦୁଡି ବିଧି,
ଯେତେପାରି ସେତେ ଜମାଇ ଯାଆନ୍ତୁ ତାଙ୍କ ଜୟ ଯାତ୍ରା ଜିଦି ।
ଶ୍ରଦ୍ଧାରେ ସମୟ ସହମତେ ସିନା ସୁଦୀର୍ଘ ସରଣୀ ସାଜେ
ଜନଗଣ ମନ ଜାବୋଡି ଜୋଅରେ ଜାଗି ଜୟଘୋଷ ବାଜେ
ଅନ୍ୟଥା ଗୋଷ୍ଖୀୟ ହୋଇ,
ଇଡା ଇଚ୍ଛା ଇତିବୃତ୍ତି ଇତିହାସେ ଈଶ୍ବରୀୟ ହେବନାହିଁ ।
ଅନୁରୋଧ କରେ, ଆଉ ଆଙ୍କନାହିଁ ମୋ ଭାଷା ଅଦୃଶ୍ୟେ ଯିବ
କୁମ୍ଭୀର-କାନ୍ଦଣା କାନ୍ଦି ମଞ୍ଚେ ଆଉ କେତେକାଳ କହିହେବ ?
କାର୍ଯ୍ୟକରି ଦେଖାଉନ,
ଜଣାଯାଏ ଜାଣି ଜତାଇ ଯାଉଛ ନିଜର ହିଁ ଜୟଗାନ ।