ଭଗ୍ନ କୋଣାର୍କ କହେ
ଭଗ୍ନ କୋଣାର୍କ କହେ
ଚନ୍ଦ୍ରଭାଗାର ଅର୍କକ୍ଷେତ୍ରରୁ
ଭଗ୍ନ କୋଣାର୍କ ମୁଁ କହେ ।
ଉତ୍କଳ ଭୂଇଁର ଉତ୍କର୍ଷ କଳାକୁ
ଆଜିବି ଧରିଛି ଦେହେ ॥
ସମୟ ଯାଇଛି ବହି ତଥାପି ମୁଁ
ଯେତେ ଦିନ ଥିବି ରହି ।
ଉତ୍କଳର ଗର୍ବ ଗୌରବ ଗାଥା
ଚାଲିଥିବି କହି କହି ॥
ମନେପଡେ ଆଜି ଅତୀତର ସେଇ
ବାର ଶହ ବିନ୍ଧାଣି କଥା ।
ବାର ବର୍ଷ କାଳ ଲାଗି ଗଢିଥିଲେ
କିଏ ବୁଝିବ ସେ ବ୍ୟଥା ॥
ବାଡି ବରକୋଳି ଭାଲୁଆ କୁକୁର
ସଙ୍ଗେ ଧରି ଧର୍ମପଦ ।
ଆସିଥିଲା ଧାଇଁ ଚିହ୍ନିବ ତା ପିତା
ହୋଇଯିବ ଗଦ ଗଦ ॥
ଦେଖିଲା ଚିନ୍ତିତ ବିନ୍ଧାଣି ଗଣ
ମୁଖେ ବିଷାଦର ଚିହ୍ନ ।
ଦଧିନଉତିକୁ ବସାଇବା ଲାଗି
ନଥିଲା କାହାରି ଜ୍ଞାନ ॥
କହିଲା ଧରମା ପଢିଛି ମୁଁ ଘରେ
ସ୍ଥାପତ୍ୟ କଳାର ପୋଥି ।
ଜାଣିଛି କିପରି ମନ୍ଦିର ଚୁଡାରେ
ବସିବ ଦଧିନଉତି ॥
ଶୁଣି ତାର କଥା ଶଙ୍କିତ ହୋଇଲେ
ଥିଲେ ଯେ ବିନ୍ଧାଣି ଗଣ ।
ବାର ଶହ ମୁଣ୍ଡ ଭୂମିରେ ଲୋଟିବ
ଗଲେ କଥା ରାଜା କାନ ॥
ବସାଇଲା ଦଧିନଉତି ଧରମା
ହେଲେ ତା କପାଳ ହୀନ ।
ବାରଶ ବିନ୍ଧାଣି ପ୍ରାଣ ରକ୍ଷା ଲାଗି
ଦେଇଗଲା ବଳିଦାନ ॥
ପଥର ଦେହରେ ନିହଣ ମୁନର
ସୃଷ୍ଟିର ଲୀଳାଖେଳା ।
ଖଣ୍ଡ ବିଖଣ୍ଡିତ ଅଙ୍ଗେ ମୋର ଆଜି
ସାଇତା ସେ ସୁକ୍ଷ୍ମ କଳା ॥
ଅଛ ଯଦି କେହି ଉତ୍କଳର ସେହି
ପଥର ଶିଳ୍ପୀ ଦାୟାଦ ।
ମୋର ଭଗ୍ନ ମୂର୍ତ୍ତି ଅଙ୍ଗେ କାନ ଦେଲେ
ଶୁଭିବ ନିହଣ ଶବ୍ଦ ॥
ଉତ୍କଳ କାହିଁକି ନିରବ ନିଶ୍ଚଳ
ପୋତି ଦେଇଛି ସେ ମଥା ।
ଭଗ୍ନ କୋଣାର୍କ ମୁଁ ଯେତେ ବି ଡାକିଲେ
ଶୁଣେନି କେ ମୋର କଥା ॥
*******