ପ୍ରିୟାର ଗାଆଁ
ପ୍ରିୟାର ଗାଆଁ
ତୁମ ବଗିଚାର ବଉଳ ମହକ,
ଗୁଆ ନାରିକେଳ ତାଳବଣ ମେଳେ
ଫାଳିକିଆ ତୋଫା ଜହ୍ନ,
ନଈବନ୍ଧ ପାଖେ ଦେଖିଥଲି ଯେବେ
ଗୋଟିଏ ଦେଖାରେ କିଣି ନେଇଗଲ ମନ ।
ପରଦେଶେ ଏବେ ବରଷ ବିତୁଛି
ବିରହରେ ନିତି ସଢେ,
କାହିଁକି କେଜାଣି ଗଲାଦିନ କଥା
ତୁମ କଥା ମନେ ପଡେ
ତୁମ ଗାଆଁ କଥା ପ୍ରିୟତମା ମୋର
ସବୁବେଳେ ମନେପଡେ ।
ତୁମ ଗାଁଆ ନଈ କୁଳୁ କୁଳୁ ଗାଏ
କାଶତଣ୍ଡି ଫୁଲ ପଠାରେ ପଠାରେ
ଧଳା ଶାଢି ତାର ଦେଖାଏ,
କାଚକେନ୍ଦୁ ପରି ଝରଣାର ଜଳ
ନିର୍ମଳ ଆକାଶେ ଶରତର ଜହ୍ନ
ତୁମ ଗାଆଁବାଟେ ନିତି ଯାଏ ।
ରାତିଜଗା ପକ୍ଷୀ ଗୀତ ଗାଇ ଗାଇ
ଚାନ୍ଦିନୀରେ କେବେ ଉଡେ,
ଆଜି ସତେ କିଆଁ ଭାରି ମନେପଡେ
ତୁମ ଗାଆଁ ମନେପଡେ ।
ଗାଁ ନଈତୁଠ ଛପଛପ ପାଣି
ତୁମ ପାଦ ଛୁଇଁଯାଏ
ହଳଦୀବସନ୍ତ ତୁମ ଭିଜା ଦେହ
ତୁମ ଭିଜାକାନୀ ତନୁକୁ ଜାବୁଡି ଧରେ ।
କଆଁରୀ ତନୁର ମିଠା ମହକରେ
କଳ କଳରବ କୁମାରୀ କଣ୍ଠରେ,
ମଖମଲି ସୁରେ ଖିଲି ଖିଲି ହସ
ବେପରୁଆ ଶବ୍ଦ, କୁଆରୀ ସୁଗନ୍ଧ
ପବନରେ ସତେ ଉଡେ
ଆଜି ସତେ କିଆଁ ଭାରି ମନେପଡେ
ତୁମ ଗାଆଁ ମନେପଡେ ।
ଗାଁ ନଈତୁଠେ ତୁଠ ପଥରରେ
ଗୋରା ଗୋରା ତୁମ ପାଦରେ
ଗୀତ ଗାଇଯାଏ ରୁଣୁଝୁଣୁ ସୁରେ,
ପାଦର ପାଉଁଜୀ ପାଣି କାଚର ଝଙ୍କାରେ ।
ପ୍ରିୟତମା ମୋର ବାରି ହୋଇଯାଏ
ଗାଆଁ କନିଆଁଙ୍କ ଭିଡେ,
ତୁମ ଗାଆଁ କଥା ପ୍ରିୟତମା ମୋର
ସବୁବେଳେ ମନେପଡେ ।