ପରମାଣୁ ପ୍ରତିଯୋଗିତା ଚାଲିଚି
ପରମାଣୁ ପ୍ରତିଯୋଗିତା ଚାଲିଚି
ପରମାଣୁ ପ୍ରତିଯୋଗିତା ଚାଲିଚି
ପର୍ଶୁରାମ ବିଶ୍ୱାଳ
ପରମାଣୁ ପ୍ରତିଯୋଗିତା ଚାଲିଚି, କିଏ ବଡ଼ ହବ ବୋଲି
ବିଶ୍ୱ ପରିବେଶ ନଷ୍ଟ ହବା କଥା ସଭିଏଁ ଗଲେଣି ଭୁଲି
ଇମିତି ଭାବନା ରଖିଲେରେ ଜଗା
ଏ ବିଶ୍ୱ ନଥିବ କାଲି ।
ଅଙ୍ଗାରକାମ୍ଳର ମାତ୍ରା ବଢ଼ିଯାଏ, ଓଜୋନରେ ଆଜି ଫାଟ
ସୂରୁଯ ଦେବତା ବାଇଗଣୀ ରଶ୍ମି ଆସିବା ପାଇଁ ସେ ବାଟ
କେତେ ନୂଆ ରୋଗ ମାଡ଼ିଆସେ ଆଜି
ହେଉ କଲବଲ ଖାଲି ।
ଆଜି ପରିବେଶ ଗଲାଣି ବିଗିଡ଼ି, ଆତଙ୍କିତ ବିଶ୍ୱବାସୀ
ଉତ୍ତାପ ବଢୁଚି ଆଣ୍ଟରାଟିକାରେ, ବରଫ ତରଳି ଭାସି
ସମୁଦ୍ରର ଜଳସ୍ତରଟି ବଢୁଚି
ହିସାବ ହୁଏନା କଳି ।
କଳକାରଖାନା ଆବର୍ଜନା ପାଇଁ ନଦୀଜଳଟି ଦୂଷିତ
ଭୂତଳ ଜଳଟି ସରି ସରି ଯାଏ, କି କରିବ ଏ ଜଗତ
କାହାକୁ କଅଣ କିଏସେ କହିବ
ଏକକୁ ଆରେକ ବଳୀ ।
ଯଥା ସମୟରେ ଆସୁନାହିଁ ଖରା, ବର୍ଷା, ଶୀତ ଏବେ ଆଉ
ବନ୍ୟାର ପ୍ରକୋପ ବଢ଼ିଯାଏ କାହିଁ ବାତ୍ୟା, ମରୁଡ଼ିର ଦାଉ
ଭୂକମ୍ପ, ସୁନାମି ମାଡ଼ିଆସେ କାହିଁ
ତା କରାଳ ରୂପ ମେଲି ।
ସବୁ ବଡ଼ ଶକ୍ତି ବୁଝେଇ ଚେତେଇ କହିବୁ ଆରେ କାଳିଆ
ବିଶ୍ୱ ପରିବେଶ ରଖନ୍ତୁ ସଜାଡ଼ି, ନଲଗାଇ ସେଠି ନିଆଁ
ଜଗତ ନଥିଲେ କେ’ କାହିଁ ଲୋଡ଼ିବ
ତୋର ସେ ଶରଧାବାଲି ?
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****