କବି
କବି
କବି ହୃଦୟଟେ ଚାହେଁ ନାହିଁ କେବେ
ଭୋଗ ବିଳାସରେ ରହିବାକୁ
ଚାହେଁ ଖାଲି ସିଏ ଉପମା ରାଇଜେ
ଶଦ୍ଦ ଯୋଡି ପଦ ଗଢିବାକୁ ॥
କବିତାର ସ୍ରଷ୍ଟା ଦ୍ଵିତୀୟ ଈଶ୍ଵର
ସପନକୁ ତାର ବାଣ୍ଟିବାକୁ
ତେଜି ଗୃହ କର୍ମ ଧରେ ସେ କଲମ
ଅପାର ଯାତନା କଟିବାକୁ ॥
ସାହିତ୍ୟ ସାଧନେ ଜନମେ ଜନମେ
ଭୁଲିଯାଏ ଆପେ ଆପଣାକୁ
ସାହିତ୍ୟ ତା'ପ୍ରାଣ ଭାଷା ତା'ଜୀବନ
ପିନ୍ଧେ ସେ ଏ ଦୁଇ ଗହଣାକୁ ॥
ପ୍ରକୃତି କୋଳରେ ବୁଲେ ସେ ଭୋଳରେ
ସୁଷମା ଭଣ୍ଡାର ପାଇବାକୁ
ସାତ ନଈ ତେର ଦରିଆ ଡେଇଁ ସେ
ଆସେ ପ୍ରୀତି ନାଆ ବାହିବାକୁ ॥
ଅମୃତ ସୃଷ୍ଟିରୁ ଲେଖନୀ ମୁନରେ
ଝରାଏ ଅମୃତ ଝରଣାକୁ
ସବୁ ଚିନ୍ତା ମନୁ ଅପସରି ଯାଏ
ଦେଖି ତା'କବିତା ସର୍ଜନାକୁ ॥
ବାଗଦେବୀଙ୍କର ବରପୁତ୍ର କବି
ସଦା ଦରିଦ୍ରତା ଜୀବନକୁ
ଲହୁରେ ଲୁହରେ ହସି ସେ ହସାଏ
ଖୋଲି ତା'ତୃତୀୟ ନୟନକୁ ॥
ମରିଗଲେ କବି ଅମରତା ଛବି
ଦେଇଛି ଯାହା ସେ ଦୁନିଆକୁ
ଦୁନିଆ ତାକୁ ବା କଣ ଦେଇଛି
ତା'ଭଗ୍ନ ସପନ କୁଢିଆକୁ ॥
କବିର ଚରଣେ ମଥା ନଇଁ ଯାଏ
ମଥା ପୋତି ସବୁ ସହିବାକୁ
ସଂସ୍କାର ଆଣେ ସେ ସଂସାର ମଧ୍ୟରେ
ନାହିଁ କେ ଧନ୍ୟ ତାକୁ କହିବାକୁ ॥
ଶରତ ଚନ୍ଦ୍ର ଜାଲି
ତା:୨୪/୦୮/୧୮