ବିଶ୍ବଗୁରୁ ଆମେ
ବିଶ୍ବଗୁରୁ ଆମେ
ଶୁଣିଛି ଏ କର୍ଣ୍ଣ ଜାତି ଧର୍ମ ବର୍ଣ୍ଣ
ବିଦ୍ବେଷ ଭରିଛି ଆଜି
ନିଜ ଭାଇଚାରା ମଣିଷ ବିଚାରା
ନାଶିଛି ଘାତକ ସାଜି
ବିଧର୍ମୀ କି ସେହି ପାଜି
ନବୁଝି ନଶୁଝି ଭାଇ ସଙ୍ଗେ ଯୁଝି
ମାରି ମରିବାକୁ ରାଜି !
ଦୁର୍ଭାବନା ଛୁଟେ ଦେଶେ ଜଳି ଉଠେ
ଘୃଣାଭରା ନିଆଁ ଝୁଲ
ଏହିଭଳି କଲେ ସମ୍ଭବ କି ଭଲେ
ଜନ୍ମଭୂମି ପ୍ରୀତି ମୂଲ
ଆର୍ଯ୍ୟ ସଂସ୍କୃତି କି ଭୁଲ
ଏତେ ଅବିଶ୍ୱାସ ମଧ୍ୟେ ଅବିନାଶ
ହେବକି ମମତା ଫୁଲ ?
ଧର୍ମାନ୍ଧତା ବିଷ ନକରିଲା କିସ
ନିଜେ ଛେଦି ନିଜ ପାଦ
ଫୁଟୁ ପଛେ ଗୁଳି ହେଉ ମାଟିଧୂଳି
ଛାଡୁଛୁ ହୁଙ୍କାର ନାଦ
ଘାରିଲାଣି ଅବସାଦ
ଏକତାକୁ ଆମ ନାଶି ଅବିରାମ
ପରସ୍ପରେ କରୁ ବାଦ ।
ଖଳ କି ପଚାରେ ଅସତ୍ୟ ପ୍ରଚାରେ
କାହା ପୁତ୍ର ପଡେ ବଳି
ଧର୍ମଭୀରୁ ଜାତି ରକ୍ତପାତେ ମାତି
ସଦା ହେଉଥାଏ କଳି
ଛଳନା ଭଳିକି ଭଳି
ମନ୍ଦଦଶା ଆସେ ସେହି ନିଆଁ ଧାସେ
ଜାତୀୟତା ଯାଏ ଜଳି ।
କ୍ଷଣିକ ଆବେଶ କରିଦିଏ ଶେଷ
ସଂସ୍କୃତି ବିଭବ ସାରା
ବଢେ ବହୁ ଠାବେ ଦୟନୀୟ ଭାବେ
ଜୀବନ ଯାତନା ଭାରା
ଖୋଜିଲେ ନଥାଏ ଚାରା
ଇତିହାସ ସାକ୍ଷୀ ରହେନାହିଁ ବାକି
ଜାତୀୟତା ପ୍ରେମଧାରା ।
ଧର୍ମରକ୍ଷୀ ବେଶେ ଲଢୁଥିଲେ ଲେଶେ
ରହେନାହିଁ ଭାବପ୍ରୀତି
ମଧ୍ୟପ୍ରାଚ୍ୟ ଦେଶେ ଯୁଦ୍ଧ ପରିଶେଷେ
ବିକଟ ହୋଇଛି ସ୍ଥିତି
କିଏ ସେ ପାରିଛି ଜିତି
ଦୂରଦୃଷ୍ଟି ବିନା ମାନବତା ସିନା
ଲୋପ ପାଇଯିବା ଭୀତି ।
ନିରପେକ୍ଷ ଆମ ପୁଣ୍ୟ ଧରାଧାମ
ଭାରତ ଦେଶର ମାଟି
ଭିନ୍ନ ଜାତିଧର୍ମ ବହୁବିଧ କର୍ମ
ହେବାନାହିଁ ଆଉ ବାଣ୍ଟି
ସମ୍ବନ୍ଧ ନଯାଉ ଫାଟି
ମୈତ୍ରୀ ପରିଣାମେ ବିଶ୍ବଗୁରୁ ଆମେ
କାଳଜୟୀ ପରିପାଟୀ ।