ମହା ତୀର୍ଥ
ମହା ତୀର୍ଥ
ତୁମରି ପ୍ରଣୟ ମୋ' ପାଇଁ ସାଜିଛି
ମିଠା ଜହରର
ଖୋଲା ଫରୁଆ ।
ସଙ୍ଗିନୀ ନାମରେ କାହିଁକି ପ୍ରଣୟୀ
କଳଙ୍କ ବୋଳୁଛ
ସାରା ଦୁନିଆଁ ।
ତୁମରି କୋଳକୁ ମହା ତୀର୍ଥ ଭାବି
ଭୁଲି ଯାଇଥିଲି
ମାଆର କୋଳ ।
ମାଆକୁ ନିନ୍ଦିଲି ଅଭିଶପ୍ତ ହେଲି
ଜାଣି ବି ପିଇଲି
ମଧୁ ଗରଳ ।
ମାନୁଛି ପ୍ରଣୟୀ ସୁନ୍ଦରୀ ମୃଣ୍ମୟୀ
ସଂସାର ଭିତରେ
ସୁଖ ପୀୟୂଷ ।
ତଥାପି ତା'ପାଇଁ ମାଆକୁ ହରାଇ
କିଏ କି ହୋଇଛି
ସୁଖୀ ପୁରୁଷ !
ଶୁଣ ଗୋ ପ୍ରଣୟୀ ବଧୁ,ଭାବମୟୀ !
ବାଢି ଦେଉଛି ମୋ'
ମନର କଥା ।
ତୁମରି ଆସନ ତୁମ ପାଇଁ ସଦା,
ତୁମ ଅଳଙ୍କାର
ନୁହେଁ ଅନ୍ୟଥା ।
ମହା ତୀର୍ଥ ମୋର ମାଆର ଶ୍ରୀ କୋଳ
ତୁମ କୋଳ ମୋ'ର
ପୁଣ୍ୟ ନିଆରା ।
ସରଗର ସୁଖ ମାଆର ଶ୍ରୀ ମୁଖ,
ତୁମରି ହୃଦୟ
ଗଙ୍ଗା ପସରା ।