ସିରିୟା
ସିରିୟା
ସିରିୟା ଯୁଦ୍ଧର ବିଭିଷିକା ଦେଖି,
ଫାଟି ଯାଉଅଛି ଛାତି ।
ଦୁନିଆରେ ନାହିଁ ମଣିଷତ୍ୱ କାହିଁ,
ଚିତ୍କାର କରୁଛ ନିତି ।
ମୋ ସହରରେ ଲକ୍ଷ ଲକ୍ଷ ଶିଶୁ,
ଅନାହାରେ ମରୁଛନ୍ତି।
ପେଟ ବିକଳରେ ଅଳିଆ ଗଦାରେ,
ରାସ୍ତାକଡ଼େ ସଢ଼ୁଛନ୍ତି ।
ରାସ୍ତାହିଁ ଏନ୍ତୁଡ଼ି, ରାସ୍ତାହିଁ ମଶାଣି,
ରାସ୍ତାକୁ ଆପଣା ଭାବେ।
ଜୀବନ କେମିତି ଜାଣିବା ଆଗରୁ,
ଜୀବନ ଦୀପଟି ଲିଭେ।
କୁକୁର ମଣିଷ ଝଗଡ଼ା କରନ୍ତି,
ପଟେ ବାସିରୁଟି ପାଇଁ।
କେହିକେବେ ଭାବେ, ହତଭାଗ୍ୟ ମାନେ,
କେମିତି ଅଛନ୍ତି ଜିଇଁ!
ଏଇ ଭାରତରେ ପେଟ ବିକଳରେ
ଭାତମୁଠେ କଲା ଚୋରି।
ସେଇ ଅପରାଧେ ପିଟି ପିଟି ତାକୁ,
ଜୀବନରୁ ଦେଲେ ମାରି।
ନେତାରୁ ଜନତା, ସବୁ ଅଭିନେତା,
କହିଲେ କି ଆହା ପଦେ!
ସିରିୟାରେ କେହି ମରିଗଲା ବୋଲି,
ଅନ୍ତରକୁ ତୁମ ବାଧେ ?
ରଖ ରଖ ତୁମ ମଣିଷ ପଣିଆ,
ସବୁ ମିଛ ପ୍ରହସନ ।
ସମବେଦନାର ଆଢୁଆଳେ ଖାଲି,
ରାଜନିତୀ କରି ଜାଣ।
ଶେଷରେ କହିବି,
ସିରିୟାରେ ଯାହା ଘଟୁଛି ସେପାଇଁ,
କର ହଜାରେ ବିକ୍ଷୋଭ।
ଅନାହାରେ ଏଠି ମରୁଛନ୍ତି ଶିଶୁ,
ଥରୁଟେ ସେକଥା ଭାବ।
📝 ରାକେଶ ମିଶ୍ର