ମାର୍ଗଶୀରର ଏକ ସଂଜ
ମାର୍ଗଶୀରର ଏକ ସଂଜ
କୁହୁଡି ପଣତଟିଏ ଢାଙ୍କି ଦେଉଛି ଚାରିପଟକୁ
ଶୀତେଇ ଯାଉଛି ଦେହ
ଆଉ ଉଷୁମ ହେଉଛି ମନ ।
ତାଜା ତାଜା ସ୍ମୃତିର ଉଷ୍ମତାରେ
ମନ ବିଭୋର ହେଇ ଉଠୁଛି
ଶେଷ ମାର୍ଗଶୀରର ଏଇ ଶୀତୁଆ ସଂଜରେ ।
ଯେତେ ଦେଖିଲେ ବି ନୂଆ ନୂଆ ଲାଗୁଛି ଜହ୍ନ
ସତେ ଅବା ତା ଦେହରେ ଅଙ୍କା ହେଇଛି
ମୁଁ ଭୁଲି ପାରୁ ନଥିବା ଅନେକ ମିଠା ସ୍ମୃତିର
ବିମୁଗ୍ଧ ସୁନ୍ଦର ପଦଚିହ୍ନ।
କୋଉ ଦୂର ରାଇଜରୁ ଭାସି ଆସୁଛି ଅତି ପରିଚିତ
କାହାର ଏକ ଚିହ୍ନା ଚିହ୍ନା ସ୍ବର
"ଜହ୍ନ ନୂଆ ଲାଗନ୍ତା ନି କି ତୋତେ ଆଉ
ତୁ ନିଜ ଭିତରେ ନିଜକୁ ଖାଲି ହିଁ ଚାଲିଛୁ
ଖୋଜି ପାଇଛୁ କି
ଏଯାଏଁ !!'
ସତେ ସବୁ କିଛି କାହିଁକି ଏତେ ନୂଆ ନୂଆ ଲାଗେ
ମାର୍ଗଶୀରର ଏଇ ଶୀତୁଆ ସଂଜ ଆଉ ଚତୁର୍ଦ୍ଦଶୀର ଏଇ ଜହ୍ନ ବି !!