ପୀୟୂଷ ଦାନ
ପୀୟୂଷ ଦାନ
ଜହ୍ନ ଉଙ୍କି ହୁଏ ମଗନ ଏବେ ଗଡିନି ସଞ୍ଜ
ସୂରୁଯ ଛାଡିନି ଗଗନ ଚୁମି ପ୍ରେୟସୀ କଞ୍ଜ ।
ଶୁଭିନି ବିହଗ କାକଳି କେତେ କିମିଆ ଖଞ୍ଜ
ଦିବସେ ସତାର ଆକଳି କିବା ମାନସ ଭଞ୍ଜ ।
ଅବୟବ ଯାଏ ଶିହରି ଦଳ ଦେବି କି ମେଲି
ଆତପ ପରଶି ବିହରି କେତେ କରୁଛ କେଳି ।
ପୀୟୂଷ ମଧୁର ବରଷି ଯେବେ ଆସିବ ଖେଳି
ଗୁପତେ ପୀରତି ପରଷି ଦେବି ସଙ୍ଗତ ମେଳି ।
ଚାଳିଲାଣି ମନ୍ଦ ଚାମର ମାରେ ଶୀତଳ ବାଆ
ହୁଅନ୍ତେ ମିଳନ ଆମର ଲେଖିଯିବ ଗୋ ନାଆଁ ।
ସାରିଲାଣି କ୍ଷେତ କର୍ଷଣ ଚାଷୀ ଫେରୁଛି ଗାଆଁ
ଆନତେ ଆବେଗ ବର୍ଷଣ କରି କହୁଛ ଥାଆ ।
ପାଇଲେ ତୁମର ସରାଗ ଏ ଯେ ଅବୁଝା ମନ
ତକ୍ଷଣେ ଖେଳିବ ପରାଗ ସତେ କରୁଛି ପଣ ।
ଛୁଅନ୍ତେ ଜୋଛନା ଧବଳ ମୋର ପରାଣ ଧନ
ଆଶ୍ଳେଷି ନେବ କି ପ୍ରବଳ ଚୁମି ଆସନ୍ତେ ସନ୍ନ ।
ଉଠୁଥିବ ନିଶା ଗରଜି ତୁମେ ଥିବ ମୋ ପାଶେ
ସକଳ ଚେତନା ବରଜି ଫନ୍ଦି ଯିବି ଗୋ ଫାଶେ ।
ସରସୀ କୋଳରେ ବହନ ଦେଖ ମହକି ବାସେ
କେତେ ଆଉ ହେବ ସହନ ଆସ ରସିବା ରାସେ ।
ଯୁଗେ ଯୁଗେ ଆମ ପୀରତି କବି କରିବେ ଗାନ
ମରତେ ରଖ ହେ କୀରତି ଦେଇ ରଜତ ମାନ ।
ଅସ୍ତାଚଳ ହେଲେ ଅରୁଣ ଆଉ ଅଛି କେ ଆନ
ବିଲୋକି ବିନତି କରୁଣ କର ପୀୟୂଷ ଦାନ ।
ପ୍ରସନ୍ନ କୁମାର ମାଦଳା